ମନୀଷ ସିସୋଦିଆଙ୍କୁ ଭାରତ ରତ୍ନ ଦେବା ବଦଳରେ କେନ୍ଦ୍ର ସରକାର ତାଙ୍କୁ ସିବିଆଇ ଓ ଇଡି ଲଗାଇ ହଇରାଣ କରୁଛନ୍ତି: ଅରବିନ୍ଦ କେଜରିୱାଲ୍
22/08/2022 at 11:33 PM

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ବଦଳରେ କେନ୍ଦ୍ର ସରକାର ତାଙ୍କୁ ସିବିଆଇ ଓ ଇଡି ଲଗାଇ ହଇରାଣ କରୁଛନ୍ତି। ଅବକାରୀ ନୀତିକୁ ନେଇ ସିସୋଦିଆଙ୍କ ଉପରେ ହେଉଥିବା ଚଢ଼ାଉକୁ ନେଇ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍।
ଏନେଇ ସୋମବାର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାକୁ ସୁଧାରିଛନ୍ତି ସିସୋଦିଆ। ଶରକାରୀ ସ୍କୁଲ୍କୁ ନୂଆ କରି ଗଢ଼ି ତୋଳିଛନ୍ତି। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ପାଇଁ କେନ୍ଦ୍ର ସରକାର ତାଙ୍କୁ ହଇରାଣ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ସିସୋଦିଆଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ବଦଳରେ ତାଙ୍କୁ ଏଭଳି ହଇରାଣ କରାଯାଉଛି ବୋଲି କେଜରିୱାଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ସେ ଆଣିଥିବା ଉନ୍ନତୀ ପାଇଁ ସିସୋଦିଆଙ୍କୁ ଦେଶର ଶିକ୍ଷା ବ୍ୟବସ୍ଥା ଦାୟିତ୍ୱ ଦେବା ବଦଳରେ ତାଙ୍କ ବିରୋଧରେ ସିବିଆଇ ଚଢ଼ାଉ କରାଯାଉଛି।
ଅବକାରୀ ନୀତିକୁ ନେଇ ସିବିଆଇ ଚଢ଼ାଉ କରିବା ପରେ ଆପ୍ ଓ ବିଜେପି ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇଯାଇଛି। ଆପକୁ ବିକଳ୍ପ ଭାବି ବିଜେପି ଏପରି କରୁଛି ବୋଲି ଦଳ ଦାବି କରୁଥିବା ବେଳେ କେତେକ ଗୁଜୁରାଟରେ ଆପ୍ର ପ୍ରଭାବ ବିସ୍ତାର ପାଇଁ କେନ୍ଦ୍ର ସରକାର ପ୍ରତିଶୋଧ ନେଉଛନ୍ତି ବୋଲି କୁହାଯାଉଛି।
ଏହା ପୂର୍ବରୁ ମନୀଷ ସିସୋଦିଆଙ୍କୁ ଆପ୍ ଛାଡ଼ି ବିଜେପିରେ ମିଶିବା ବିଜେପି ନେତା ଅଫର ଦେଇଥିବା ଅଭିଯୋଗ ଆଣିଥିଲେ ମନୀଷ। ବିଜେପିର ଜଣେ ନେତା ତାଙ୍କୁ ଫୋନ୍ କରି ଦଳରେ ସାମିଲ୍ ହେଲେ ସିବିଆଇ ମାମଲା ଉଠାଇ ନେବୁ ବୋଲି କହିଥିବା ସୋସିଦିଆ ଅଭିଯୋଗ କରିଛନ୍ତି। ତା ସହ ସେ ଏହାର ଜବାବ ବି ରଖିଛନ୍ତି।
ସିସୋଦିଆ ଟ୍ୱିଟ୍ କରି କହିଛନ୍ତି “ ମୋତେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଥିବା ବିଜେପିକୁ ମୋର ଉତ୍ତର। ଅରବିନ୍ଦ କେଜରିୱାଲ ଜୀ ମୋର ରାଜନୈତିକ ଗୁରୁ। ତାଙ୍କ ସହ ମୁଁ କେବେ ବେଇମାନୀ କରିପାରିବି ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନି। ମୋର ସ୍ୱପ୍ନ ଦେଶର ସମସ୍ତ ପିଲାଙ୍କୁ ଭଲ ଶିକ୍ଷା ମିଳୁ। ତେବେ ଯାଇ ଭାରତ ଏକ ନମ୍ବର ଦେଶ ହୋଇପାରିବ। ପୂରା ଦେଶରେ ଏହି କାମ କେବଳ କେଜରିୱାଲ ଜୀ କରିପାରିବେ।” ତେବେ କେଉଁ ବିଜେପି ନେତା ସିସୋଦିଆଙ୍କୁ କଲ୍ କରି ଅଫର୍ ଦେଇଥିଲେ ସେ ବିଷୟରେ ସମସ୍ତଙ୍କୁ ଜଣାଇବ ଆପ୍। କଲ୍ କରିଥିବା ମନ୍ତ୍ରୀଙ୍କର ଫୋନ୍ ରେକର୍ଡ ବି ଦଳ ପାଖରେ ଅଛି। ଆବଶ୍ୟକ ପଡ଼ିଲେ ଦଳ ବିଜେପି ମନ୍ତ୍ରୀଙ୍କର ଭଏସ୍ କଲ୍ ରେକର୍ଡ ଜାରି କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ବିଜେପି ପକ୍ଷରୁ ମିଳିଥିବା ଅଫର୍ ମନୀଷ ସିସୋଦିଆ କହିଛନ୍ତି “ମୋତେ ଏକ ଟେକ୍ସ ମେସେଜ୍ ମିଳିଲା ଯେଉଁଥିରେ କୁହାଯାଇଛି ଯେ ଦଳ ଛାଡ଼ିଲେ କିମ୍ବା ଭାଙ୍ଗିଦେଲେ ମୋ ବିରୋଧରେ ଲାଗିଥିବା ସିବିଆଇ ଓ ଇଡି ମାମଲା ଉଠା ନିଆଯିବ। ”