ମଦ ଦୁର୍ନୀତି ମାମଲା: ସିସୋଦିଆଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
6/03/2023 at 3:17 PM

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଗିରଫ ହେବା ପରେ ସପ୍ତାହେ ପାଇଁ ସେ ସିବିଆଇ କଷ୍ଟୁଡିରେ ରହିଥିଲେ। ଲୋମବାର କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସିସୋଦିଆ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ତିହାର ଜେଲ୍ରେ ରହିବେ।
ଆଜି କୋର୍ଟରେ ଶୁଣାଣି ବେଳେ ସିବିଆଇ ସିସୋଦିଆଙ୍କୁ ବର୍ତ୍ତମାନ କଷ୍ଟୁଡିରେ ନେବାକୁ ଚାହୁଁନି ବୋଲି କହିଥିଲା। ଯଦି ଅଭିଯୁକ୍ତର ଆଚରଣ ଠିକ୍ ନ ରହେ ତେବେ ଭବିଷ୍ୟତରେ ପୁଣିଥରେ ତାଙ୍କୁ କଷ୍ଟୁଡିରେ ନେଇପାରେ ବୋଲି କହିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।
ଏହା ପୂର୍ବରୁ ସିସୋଦିଆଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ବେଳେ ସିସୋଦିଆ ସିବିଆଇ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗୋଟିଏକ ପ୍ରଶ୍ନକୁ ବାରମ୍ବାର ପଚାରି ମାନସିକ ଚାପ ସୃଷ୍ଟି କରାଯାଉଛି ବୋଲି ସିସୋଦିଆ କୋର୍ଟରେ କହିଥିଲେ। ଏହାପରେ
ଆପ୍ ଉପରେ ପାଲଟା ଅଭିଯୋଗ ଆଣିଥିଲା ସିବିଆଇ। ସେମାନେ ଶାକ୍ଷୀମାନଙ୍କୁ ଡରାଉଛନ୍ତି ଓ ଘଟଣାକୁ ରାଜନୀତିର ରଙ୍ଗ ଦେବାକୁ ଚାହୁଁଛନ୍ତି ବୋଲି ସିବିଆଇ କହିଥିଲା।
ଗତକାଲି ଆପ୍ ସାଂସଦ ସିବିଆଇ ବିରୋଧରେ ସଗୀନ ଅଭିଯୋଗ ଆଣିଥିଲେ। ସେ ସେ କହିଥିଲେ ଯେ ଆମେ ଏକ ଘଟଣା ବିଷୟରେ ଖୁଲାସା କରିବାକୁ ଯାଉଛୁ। ଗତ ୬ ଦିନ ହେଲା ମନୀଷ ସିସୋଦିଆଙ୍କୁ ସିବିଆଇ କଷ୍ଟୁଡିରେ ନିଆଯାଇଛି। ହେଲେ ଆମେ ଖବର ପାଉଛୁ ଯେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ମିଛ ରାଜିନାମାରେ ଦସ୍ତଖତ କରିବାକୁ ତାଙ୍କୁ ବାଧ୍ୟ କରାଯାଉଛି ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଥିଲେ। କୋର୍ଟରେ ସିସୋଦିଆ ଓ ତାଙ୍କ ଓକିଲ ନିଜେ ଏହି କଥାର ଖୁଲାସ କରିଛନ୍ତି ବୋଲି କହିଥିଲେ ସଞ୍ଜୟ।