ଜାମିନ ପରେ ସିଂଘଭୀଙ୍କ ପ୍ରଶଂସାରେ ଶତମୁଖ ହେଲେ ମନିଷ ସିସୋଦିଆ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 10, 2024 IST

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଜାମିନ ମିଳିବା ପରେ ବାହାରକୁ ଆସିଛନ୍ତି। ଜେଲରୁ ମୁକୁଳିବା ପରେ ଆମ ଆଦମୀ ପାର୍ଟି (ଆପ)ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶନିବାର ସିସୋଦିଆ ଏକ କାର୍ଯ୍ୟକ୍ରମରେ ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିରେ ସିସୋଦିଆ ସିଂଘଭୀଙ୍କୁ ଭଗବାନ ସ୍ୱରୂପ କହିବାକୁ ମଧ୍ୟ ପଛେଇ ନାହାନ୍ତି। ଏହି ଅବସରରେ ସିସୋଦିଆ ସୁପ୍ରିମକୋର୍ଟଙ୍କ ପ୍ରତି ମଧ୍ୟ ତାଙ୍କର କୃତଜ୍ଞତା ଜଣାଇଛନ୍ତି। 

ସିସୋଦିଆ ଶନିବାର ଦିଲ୍ଲୀରେ ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭୀଙ୍କୁ ମଧ୍ୟ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାର ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଅଭିଷେକ ମନୁ ସିଂଘଭୀଙ୍କୁ କାହିଁକି ଭଗବାନ ସ୍ୱରୂପ କହିଲେ ମନିଷ ସିସୋଦିଆ। 

କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନିଷ ସିସୋଦିଆ ଗତ ୧୭ ମାସ ହେଲା ଜେଲରେ ଥିଲେ। ଏହି ସମୟରେ ସିସୋଦିଆଙ୍କ ମୋକଦ୍ଦମା ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ କୋର୍ଟରେ ଲଢୁଥିଲେ। ଶୁକ୍ରବାର ଜାମିନ ମିଳିବା ପରେ ସିସୋଦିଆ ପ୍ରଥମେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରକୁ ଯାଇଥିଲେ। ଏହା ପରଦିନ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସିସୋଦିଆ ତାଙ୍କ ଓକିଲ ମାନଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ। ଏଥିରେ ସିସୋଦିଆ କହିଥିଲେ ଯେ ମୁଁ କାଲି ବି କହିଥିଲି ସିଂଘଭୀ ମୋ ପାଇଁ ଭଗବାନ ସ୍ୱରୂପ। 

କାର୍ଯ୍ୟକ୍ରମ କାଳରେ ସିସୋଦିଆ କହିଥିଲେ ଯେ ଜେଲରେ ବନ୍ଦୀ କୌଣସି ବ୍ୟକ୍ତିଙ୍କ ନିମନ୍ତେ ତାଙ୍କ ଓକିଲ ହିଁ ତାଙ୍କ ପାଇଁ ଭଗବାନ ଭଳି। ମୋ ପାଇଁ ମଧ୍ୟ ସିଂଘଭୀ ଭଗବାନଙ୍କ ସ୍ୱରୂପ। ଏହି ଅବସରରେ ସିସୋଦିଆ କଥିତ ମଦ ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଆମଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସିଂଘଭୀ ଖୁବଶୀଘ୍ର କେଜରିୱାଲଙ୍କୁ ମଧ୍ୟ ଜେଲରୁ ମୁକାଳିବେ। ଏହି ଅବସରରେ ସିସୋଦିଆ ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି କୋର୍ଟରେ ଲଢୁଥିବା ସବୁ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.