ମନିଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢ଼ଉ, ଉପମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ ଆସିଲା CBIର ସଫେଇ
14/01/2023 at 7:26 PM

ନୂଆଦିଲ୍ଲୀ ୧୪।୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର ତାଙ୍କ କାର୍ଯ୍ୟାଳୟ ଉପରେ ସିବିଆଇ ଚଢ଼ଉ ହୋଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍ କରିଥିବା ବେଳେ ‘ଆଜି ପୁଣି ଥରେ ସିବିଆଇ ମୋ ଦପ୍ତରକୁ ପହଞ୍ଚିଛି, ସେମାନଙ୍କୁ ସ୍ୱାଗତ, ଏମାନେ ମୋ ଘର ଉପରେ ଚଢଉ କଲେ, ଦପ୍ତର ସାଉଁଣ୍ଟିଲେ, ଲକର ଖୋଜିଲେ, ଏପରିକି ମୋ ଗାଁ ପର୍ଯ୍ୟନ୍ତ ଖୋଜି ଗଲେ, ମୋ ବିରୋଧରେ କିଛି ବି ମିଳିଲାନି, ନା ଆଗକୁ ମିଳିବ। କାରଣ ମୁଁ କିଛି ଭୁଲ କରି ନାହିଁ , ବିଶ୍ୱସ୍ଥତାର ସହିତ ଦିଲ୍ଲୀ ପିଲାଙ୍କ ଶିକ୍ଷା ଲାଗି କାର୍ଯ୍ୟ କରିଛି’ ବୋଲି ଉଲ୍ଲେଖ କରିଛନ୍ତି।
ସିସୋଦିଆଙ୍କ ଏପରି ଅଭିଯୋଗରେ ସିବିଆଇ ସ୍ପଷ୍ଟିକରଣ ଦେଇଛି। ଏ ନେଇ ଏକ ବୟାନ ଜାରି କରାଯାଇଥିବା ବେଳେ ଟିମ୍ ଆବଶ୍ୟକ କାଗଜପତ୍ର ଏକତ୍ର କରିବା ଲାଗି ସିସୋଦିଆଙ୍କ କାର୍ଯ୍ୟାଳୟକୁ ଯାଇଥିଲା ବୋଲି କୁହାଯାଇଛି। ସେହିପରି ସିଆରପିସିର ଧାରା ୯୧ ଅନୁସାରେ ସମ୍ବଦ୍ଧିତ ବ୍ୟକ୍ତିଙ୍କୁ କାଗଜପତ୍ର ଉପସ୍ଥାପନ କରିବାକୁ କହି ପାରିବେ ବୋଲି କୁହାଯାଇଛି। ଏହି ଧାରା ଅନୁସାରେ ସିବିଆଇର କୌଣସି ଆବଶ୍ୟକତା ଲାଗି କାହାର ଉପସ୍ଥିତି ଆବଶ୍ୟକ ହୋଇ ନଥାଏ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର ଚର୍ଚ୍ଚିତ ମଦନୀତିରେ ତ୍ରୁଟିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାନ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସିବିଆଇ ମନିଷ ସିସୋଦିଆଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମୋକଦ୍ଦମା କରିଥିଲା। ଏହାକୁ ନେଇ ଗତବର୍ଷ ଅଗଷ୍ଟ ମାସରେ ସିବିଆଇ ମନିଷ ସିସୋଦିଆଙ୍କ ବିଭିନ୍ନ ଠିକଣାରେ ଚଢଉ କରିଥିଲା। କାରଣ ଦିଲ୍ଲୀ ଅବକାରୀ ବିଭାଗ ସିସୋଦିଆଙ୍କ ଅଧିନରେ ଆସୁଛି। ତେବେ ସେବେଠାରୁ ଏପର୍ଯ୍ୟନ୍ତ ଆମ ଆଦମୀ ପାର୍ଟି ଓ ସିସୋଦିଆ କହି ଆସୁଛନ୍ତି ଯେ ସିବିଆଇକୁ ଯାଞ୍ଚରୁ କିଛି ମିଳିଲାନି କି ଆଗକୁ ବି କିଛି ମିଳିବାର ନାହିଁ।