ମନୀଷ ସିସୋଦିଆଙ୍କୁ ବଡ଼ ଝଟକା, ଅବକାରୀ ନୀତି ମାମଲାରେ ମିଳିଲାନି ଜାମିନ

Published By : Prameya-News7 Bureau | May 21, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମଙ୍ଗଳବାର ମନୀଷ ସିସୋଦିଆଙ୍କୁ ବଡ଼ ଝଟକା ଲାଗିଛି। ପ୍ରଥମେ ନିମ୍ନ ଅଦାଲତ ତାଙ୍କ ହାଜତ ମିଆଦ ଅବଧି ବଢାଇ ଥିବା ବେଳେ ଏବେ ଦିଲ୍ଲୀ ହାଇକୋର୍ଟରୁ ସିସୋଦିଆଙ୍କୁ ଜାମିନ ମିଳିନି। ଫଳରେ ସିସୋଦିଆଙ୍କ ନିର୍ବାଚନରେ ପ୍ରଚାର କରିବା ଆଶା ଭାଙ୍ଗି ଯାଇଛି। 

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସ୍ଵର୍ଣ୍ଣକାନ୍ତା ଶର୍ମା ମନୀଷ ସିସୋଦିଆ ଓ ଇଡି ପକ୍ଷରୁ  ହାଜର ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହା ପରେ ଆଦେଶ ପଢି କହିଛନ୍ତି ସୁପ୍ରିମକୋର୍ଟଙ୍କ ଆଦେଶରେ ଟ୍ରାଏଲ କୋର୍ଟଙ୍କ ଅଧିକାର ଉପରେ ପ୍ରଭାବ ପଡ଼େ ନାହିଁ। ମେରିଟ୍ ଆଧାରରେ ନିମ୍ନ ଅଦାଲତଙ୍କୁ ନିଷ୍ପତ୍ତି ନେବାର ଥିଲା। କେବଳ ମୋକଦ୍ଦମାରେ ବିଳମ୍ବ ଜାମିନର ଆଧାର ହୋଇ ପାରିବ ନାହିଁ।

ସୁପ୍ରିମକୋର୍ଟ କହିଥିଲେ,  ଯେବେ ସିସୋଦିଆ ଜାମିନ ପାଇଁ ଆବେଦନ କରିବେ ସେହି ସମୟରେ ଟ୍ରାଏଲ କୋର୍ଟ ସର୍ବୋଚ୍ଚ ନ୍ୟାୟାଳୟର ଟିପ୍ପଣୀରେ ପ୍ରଭାବିତ ନ ହୋଇ ନିଷ୍ପତ୍ତି ନେଉ। ତେଣୁ ପ୍ରସିକ୍ୟୁସନ କାରଣରୁ ମୋକଦ୍ଦମାରେ ବିଳମ୍ବ ହୋଇ ନ ଥିବା କହିଛନ୍ତି ଜଷ୍ଟିସ ସ୍ଵର୍ଣ୍ଣକାନ୍ତା ଶର୍ମା। 

ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଲା: ସମନ କରି ହାଜର ହେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ନୀତି ପ୍ରସ୍ତୁତ କରିବା ପୂର୍ବରୁ ଜନତାଙ୍କ ପ୍ରସ୍ତାବ ମଗାଯାଏ। ମାତ୍ର ଜନତାଙ୍କ ବିଶ୍ଵାସକୁ ଅଣଦେଖା କରି ପୂର୍ବରୁ ନିର୍ଦ୍ଧାରିତ ନୀତି ଜାରି କରାଯାଇଛି। ଏମିତି ଦେଖାଇ ଦିଆଗଲା ଯେମିତି ଦିଲ୍ଲୀ ଅବକାରୀ ନୀତି ଜନତାଙ୍କ ପ୍ରସ୍ତାବକୁ ଆଧାର କରି ତିଆରି କରା ଯାଇଛି। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରହାର ଅଟେ।

ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ମନୀଷ ସିସୋଦିଆଙ୍କୁ ଦୁର୍ନୀତି ନିରୋଧକ ଆଇନ ଓ ପିଏମଏଲଏର ପ୍ରାବଧାନ ମୁତାବକ ନିଜକୁ ଜାମିନ ହକଦାର ଦର୍ଶାଇବାକୁ ପଡ଼ିବ। ସିସୋଦିଆ ତ ଇଲେକ୍ଟ୍ରୋନିକ ପ୍ରମାଣ ବି ନଷ୍ଟ କରିଛନ୍ତି। ନିଜର ୨ଟି ଫୋନ ମଧ୍ୟ ଜମା କଲେ ନାହିଁ। ଏ ବହୁତ ପ୍ରଭାବଶାଳୀ ଲୋକ। ତେଣୁ ଜାମିନ ମିଳିବା ପରେ ପ୍ରମାଣକୁ ପ୍ରଭାବିତ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.