ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରମାଣ ନଷ୍ଟ କରିବାକୁ ଫୋନ୍ ଭାଙ୍ଗିଥିଲେ ବୋଲି ମାନିଲେ ସିସୋଦିଆ: ସିବିଆଇର ବଡ଼ ଖୁଲାସା

Published By : Prameya-News7 Bureau | May 19, 2023 IST

ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ମନୀଷ ସିସୋଦିଆଙ୍କ ବିରୋଧରେ ବଡ଼ ଖୁଲାସା କଲା ସିବିଆଇ। ପ୍ରମାଣ ନଷ୍ଟ କରିବାକୁ ସିସୋଦିଆ ତାଙ୍କର ଦୁଇଟି ଫୋନ୍‌କୁ ଭାଙ୍ଗି ଦେଇଥିବା ସେ ସ୍ୱୀକାର କରିଛନ୍ତି ବୋଲି ସିବିଆଇ କହିଛି।

ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ସିବିଆଇ। ସିସୋଦିଆ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବାକୁ ମଦ ନୀତି ଲାଗୁ କରିବା ପାଇଁ ସେମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ଦଳକୁ ଆର୍ଥିକ ଲାଭ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା।  

ସିବିଆଇର ସୂଚନା ଅନୁସାରେ, ୨୦୨୦ ଜାନୁଆରୀରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ମନୀଷ ୩ଟି ମୋବାଇଲ୍ ଫୋନ୍‌ ବ୍ୟବହାର କରିଥିଲେ। ସିବିଆଇ ତାଙ୍କ ଘରେ ଚଢ଼ାଉ କରିବା ପରେ ୨୦୨୨ ଅଗଷ୍ଟ ୧୯ ତାରିଖରେ ତାଙ୍କର ଶେଷ ଫୋନ୍ ଜବତ କରିଥିଲା। ସିସୋଦିଆ ଜବତ ପୋନ୍‌କୁ ୨୦୨୨ ଜୁଲାଇ ୨୨ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ।

ଜୁଲାଇ ୨୨ ତାରିଖରେ ଦିଲ୍ଲୀ ଉପରାଜ୍ୟପାଳ ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସିସୋଦିଆଙ୍କୁ ସିବିଆଇ ତଦନ୍ତ ଖବର ମିଳିବା ପରେ ସେ ତାଙ୍କ ପୁରୁଣା ଫୋନ୍ ଭାଙ୍ଗି ନୂଆ ଫୋନ୍ ବ୍ୟବହାର କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଛି।

ଏବେ ପଚରାଉଚରା ବେଳେ ପୁରୁଣା ଫୋନ୍ ଭାଙ୍ଗିଥିଲେ ବୋଲି ସିସୋଦିଆ ସ୍ୱୀକାର କରିଥିବା ସିବିଆଇ କହିଛି। ଏହା ପୂର୍ବରୁ ଉଭୟ ସିବିଆଇ ଓ ଇଡି ଚାର୍ଜଶିଟ୍‌ରେ ସିସୋଦିଆଙ୍କ ଏକାଧିକ ଫୋନ୍ ବ୍ୟବହାର କରିବା ନେଇ ଉଲ୍ଲେଖ ରହିଥିଲା। ହେଲେ ଆପ୍ ଏହାକୁ ଅସ୍ୱୀକାର କରିଥିଲା।  ସୂଚନା ଥାଉକି ମନୀଷ ସିସୋଦିଆ ବର୍ତ୍ତମାନ ତିଆହର ଜେଲ୍‌ରେ ରହିଛନ୍ତି। ତାଙ୍କ ଜାମିନ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଲମ୍ବିତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.