ମୋତେ ମିଛରେ ଫସାଇବାକୁ ସିବିଆଇ ଅଫିସରଙ୍କୁ ବାଧ୍ୟ କରିବାରୁ ସେ ଆତ୍ମହତ୍ୟା କଲେ ବୋଲି ଅଭିଯୋଗ କରିଥିଲେ ସିସୋଦିଆ, ଖଣ୍ଡନ କଲା ସିବିଆଇ
5/09/2022 at 8:10 PM

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଚାପ ପକାଯାଉଛି। ଏମିତି ଚାପ ଯେ ବାଧ୍ୟ ବୋଇ ସିବିଆଇ ଅଫିସର ଆତ୍ମହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଆପ୍ ନେତା ମନୀଷ ସିସୋଦିଆ। ହେଲେ ସିସୋଦିଆଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି ସିବିଆଇ। ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ସିବିଆଇ କହିଛି।
ସୋମବାର ମନୀଷ ଅଭିଯୋଗ କରି କହିଥିଲେ ଯେ ସିବିଆଇ ଅଫିସର ଜିତେନ୍ଦ୍ର କୁମାର, ଯିଏ ସିବିଆଇର ଦୁର୍ନୀତି ନିବାରଣ ବ୍ରାଞ୍ଚର ଡେପୁଟି ଲିଗାଲ ଆଡ୍ଭାଇଜର ଥିଲେ ସେ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କୁ ମୋ ବିରୋଧରେ ମିଛ କରି ଗିରଫ କରିବାକୁ ଚାପ ପକାଯାଉଥିଲା। ହେଲେ ସେ ଏହା କରିବାକୁ ଚାହୁଁନଥିଲେ ବୋଲି ସିସୋଦିଆ କହିଥିଲେ।
ଏବେ ସିସୋଦିଆଙ୍କ ଅଭିଯୋଗକୁ ଖଣ୍ଡନ କରି ଜବାବ ରଖିଛି ସିବିଆଇ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର। ଅବକାରୀ ନୀତି ନେଇ ଚାଲିଥିବା ତଦନ୍ତରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଏପରି ବୟାନ ଦେଉଛନ୍ତି ବୋଲି ସିବିଆଇ କହିଛି।
ସିବିଆଇ କହିଛି “ସିବିଆଇ ସିସୋଦିଆଙ୍କ ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ବୟାନକୁ ଖଣ୍ଡନ କରୁଛି। ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଦିମ୍ବଗତ ଅଫିସର ଜିତେନ୍ଦ୍ର କୁମାର ଏହି ତଦନ୍ତରେ ସାମିଲ ନଥିଲେ। ସେ ଡେପୁଟି ଆଇନ ପରାମର୍ଶଦାତା ଥିଲେ। ଦାଖଲ ଚାର୍ଜଶିଟ୍ ବିରୋଧରେ ଯେଉଁମାନେ ଟ୍ରାଏଲ୍ କରୁଛନ୍ତି, ସେହିସବୁ ମାମଲାଗୁଡ଼ିକୁ ପରିଚଳନା କରୁଥିଲେ।”
ସୂଚନା ଥାଉକି ଗତ ସପ୍ତାହରେ ସିବିଆଇ ଅଫିସର ଜିତେନ୍ଦ୍ର କୁମାରଙ୍କର ମୃତଦେହ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ତାଙ୍କ ମୃତଦେହ ପାଖରୁ ଏକ ସୁଇସାଇଟ୍ ନୋଟ୍ ବି ଉଦ୍ଧାର ହୋଇଥିଲା। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଏଥିରେ ଲେଖାଯାଇଥିଲା।