ଦିଲ୍ଲୀ ମଦ ନୀତି ମାମଲାରେ ଇଡିର ସାଂଘାତିକ ଅଭିଯୋଗ; ବାରମ୍ବାର ଫୋନ୍ ବଦଳାଇ ପ୍ରମାଣ ନଷ୍ଟ କରିଛନ୍ତି ସିସୋଦିଆ

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ବାରମ୍ବାର ଚଡ଼ାଉ ଓ ତଦନ୍ତ ଜାରି ରଖିଥିବା ଇଡି ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଆଶ୍ଚର୍ଯ୍ୟକର ଖୁଲାସା କରିଛି। ଘଟଣାରେ ସିସୋଦିଆ ବାରମ୍ବାର ତାଙ୍କ ଫୋନ୍ ବଦଳାଇଛନ୍ତି ଓ ପ୍ରମାଣ ନଷ୍ଟ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି।

ଦିଲ୍ଲୀର ଏକ କୋର୍ଟରେ ଘଟଣା ସମ୍ପର୍କରେ ତଥ୍ୟ ରଖି ଏପରି କହିଛି ଇଡି। ବୁଧବାର ଗିରଫ ହୋଇଥିବା ଦିଲ୍ଲୀ ବ୍ୟବସାୟୀ ଅମିତ ଅରୋରା ଓ ମନୀଷ ସିସୋଦିଆ ମଦ ଦୁର୍ନୀତି ଅଭିଯୋଗ ମଧ୍ୟରେ ୧୧ ଟି ଫୋନ୍ ବଦଳାଇଛନ୍ତି। ପରେ ସମ୍ପୃକ୍ତ ସମସ୍ତ ପ୍ରମାଣକୁ ଦୁହେଁ ନଷ୍ଟ କରିଦେଇଛନ୍ତି ବୋଲି କୋର୍ଟଙ୍କୁ କହିଛି।    

ବୁଧବାର ଘଟଣା ସମ୍ପର୍କରେ ତଥ୍ୟ ରଖି ଇଡି ଦିଲ୍ଲୀ ରାଉସ ଏଭିନ୍ୟୁ କୋର୍ଟଙ୍କୁ କହିଛି " ପ୍ରମାଣ ନଷ୍ଟ କରିବା ପାଇଁ ଦିଲ୍ଲୀ ସରକାରର ଅନେକ ସରକାରୀ ବରିଷ୍ଠ ଅଫିସର ଦିଲ୍ଲୀ ଅବକାରୀ ମନ୍ତ୍ରୀ(ମନୀଷ ସିସୋଦିଆ) ଏବଂ ଅନ୍ୟମାନେ ସେମାନଙ୍କର ଫୋନ୍‌କୁ ବାରମ୍ବାର ବଦଳାଇଥିବା ସନ୍ଦେହ କରାଯାଉଛି।"

ଦିଲ୍ଲୀ ଲିକର ପଲିସି ଦୁର୍ନୀତିରେ ଆଜି ଗିରଫ ହୋଇଥିବା ଅମିତ ଅରୋରାଙ୍କୁ ୭ଦିନିଆ ରିମାଣ୍ଡରେ ନେଇଛି ଇଡି। ଅମିତ ମନୀଷ ସିସୋଦିଆଙ୍କର ନିକଟତର ବୋଲି କୁହାଯାଉଛି। ଗିରଫ ପରେ ଅରୋରା ଆଜି ଦିଲ୍ଲୀର ରାଉସ ଏଭନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତାଙ୍କୁ କଷ୍ଟୁଡିରେ ନେବାକୁ କୋର୍ଟଙ୍କ ଠାରୁ ଅନୁମତି ମାଗିଥିଲା ଇଡି। କୋର୍ଟ ଅନୁମତି ଦେଇଛନ୍ତି।  

ଅମିତଙ୍କ ବିରୋଧରେ ଇଡି ଅଭିଯୋଗ ଆଣିଛି ଯେ ଦୁର୍ନୀତିକୁ ଅମିତ ପରିଚାଳନା କରୁଥିଲେ। ଜଣେ ଭେଣ୍ଡରଙ୍କ ଠାରୁ ଅମିତ ୨.୫ କୋଟି ନେଇଥିଲେ ବୋଲି ଇଡି ଅଭିଯୋଗ କରିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.