ସିବିଆଇ ପରେ ସିସୋଦିଆଙ୍କୁ ଗିରଫ କଲା ଇଡି, ତିହାର ଜେଲରେ ୮ ଘଣ୍ଟାର ଜେରା
9/03/2023 at 7:06 PM

ନୂଆଦିଲ୍ଲୀ, ୦୯/୦୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଦିଲ୍ଳୀ ମଦ ନୀତି ଘୋଟାଲା ମାମଲାରେ ଏବେ ଇଡି ମଧ୍ୟ ମନୀଷଙ୍କୁ ଗିରଫ କରିଛି । ଗୁରୁବାର ସିସୋଦିଆଙ୍କୁ ତିହାର ଜେଲ୍ରେ ୮ ଘଣ୍ଟାର ପଚରାଉଚରା ପରେ ଗିରଫ କରିଛି ଇଡି। ଏହା ପୂର୍ବରୁ ଇଡି ମାର୍ଚ୍ଚ ୭ ତାରିଖରେ ପାଞ୍ଚ ଘଣ୍ଟାର ପଚରା ଉଚରା କରିଥିଲା ଏବଂ ତାଙ୍କର ବୟାନ ରେକର୍ଡ କରିଥିଲା। ଇଡି ଜେଲ୍ର ସେଲ୍ ନମ୍ବର ୧ ରେ ପଚରାଉଚରା ପାଇଁ ସ୍ଥାନୀୟ ଅଦାଲତଙ୍କ ଅନୁମତି ପାଇଥିଲା।
ସୂଚନାଯୋଗ୍ୟ, ମନୀଷ ସିସୋଦିଆଙ୍କୁ ସିବିଆଇ ଦିଲ୍ଳୀ ଅବକାରୀ ନୀତି ଘୋଟାଲା ମାମଲାରେ ଫେବ୍ରୂଆରୀ ୨୬ ଗିରଫ କରିଥିଲା। ପ୍ରାୟ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା ସିବିଆଇ। ଏହା ପରେ ୨୭ ଫେବୃଆରୀରେ ରାଉଜ ଆଭିନ୍ୟୁ କୋର୍ଟରେ ସିବିଆଇ ହାଜର କରିଥିଲା। କୋର୍ଟ ତାଙ୍କୁ ୫ ଦିନର ସିବିଆଇ ରିମାଣ୍ଡରେ ପଠାଇଥିଲେ ଏବଂ ଏହାପରେ ପୁଣି ଦୁଇ ଦିନ ରିମାଣ୍ଡରେ ପଠାଇଥିଲେ। ସୂଚନାଯୋଗ୍ୟ, ସିସୋଦିଆ ମଦ ନୀତି ଘୋଟଲା ମାମଲାରେ ସିବିଆଇ ଦ୍ବାରା ଗିରଫ ହେବା ପରେ ତିହାର ଜେଲ୍ ଅଛନ୍ତି।
ଏହା ପୂର୍ବରୁ ମନୀଷ ସିସୋଦିଆ ଜାମିନ୍ ପାଇଁ ସୁପ୍ରିମକୋର୍ଟ ପହଞ୍ଚିଥିଲେ କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଯାଚିକା ଖାରଜ କରିଥିଲେ ଏବଂ ଜାମିନ୍ ପାଇଁ ନିମ୍ନ ଅଦାଲତକୁ ଯିବାକୁ କହିଥିଲେ। ଫେବୃଆରୀ ୨୮ ରେ ହିଁ ସେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ।