ନିମ୍ନ ଅଦାଲତରେ ଜାମିନ୍‌ ଆବେଦନ କଲେ ମନୀଷ ସିସୋଦିଆ, ଶନିବାର ହେବ ଶୁଣାଣି

Published By : Prameya-News7 Bureau | March 03, 2023 IST

ନୂଆଦିଲ୍ଲୀ, ୦୩/୦୩: ମଦ ନୀତି ଘୋଟାଲା ମାମଲା ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଜାମିନ୍‌ ପାଇଁ ନିମ୍ନ ଅଦାଲତରେ ପହଞ୍ଚିଛନ୍ତି। ଆମ୍ ଆଦମୀ ପାର୍ଟୀ ନେତା ଏବଂ ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରାଉଜ ଆଭିନ୍ୟୁ କୋର୍ଟରେ ଜାମିନ୍‌ ଆବେଦନ ପାଇଁ ଅପିଲ୍‌ କରିଛନ୍ତି। ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିମ୍ନ କୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ସିସୋଦିଆଙ୍କ ଯାଚିକା ଉପରେ ଶନିବାର ଶୁଣାଣି ହେବ। ଶନିବାର ହିଁ ମନୀଷ ସିସୋଦିଆ ୫ ଦିନିଆ ସିବିଆଇ ରିମାଣ୍ଡ ସରୁଛି। ଆଉ ଶନିବାର ହିଁ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯିବ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ୍‌ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଥିଲେ। ଏହା ସହ ସୁପ୍ରିମକୋର୍ଟ କହିଥିଲେ ଯେ ତାଙ୍କୁ ଜାମିନ୍‌ ପାଇଁ ପ୍ରଥମେ ତଳ କୋର୍ଟ ଯିବା ଦରକାର।

ସୂଚନାଯୋଗ୍ୟ, ମନୀଷ ସିସୋଦିଆଙ୍କୁ ସିବିଆଇ ଦିଲ୍ଳୀ ଅବକାରୀ ନୀତି ଘୋଟାଲା ମାମଲାରେ ଫେବ୍ରୂଆରୀ ୨୬ ଗିରଫ କରିଥିଲା। ପ୍ରାୟ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା ସିବିଆଇ। ଏହା ପରେ ୨୭ ଫେବୃଆରୀରେ ରାଉଜ ଆଭିନ୍ୟୁ କୋର୍ଟରେ ସିବିଆଇ ହାଜର କରିଥିଲା। କୋର୍ଟ ତାଙ୍କୁ ୫ ଦିନର ସିବିଆଇ ରିମାଣ୍ଡରେ ପଠାଇଥିଲେ।

ଏହା ପରେ ମନୀଷ ସିସୋଦିଆ ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ପହଞ୍ଚିଥିଲେ କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଯାଚିକା ଖାରଜ କରିଥିଲେ ଏବଂ ଜାମିନ୍‌ ପାଇଁ ତଳ କୋର୍ଟକୁ ଯିବାକୁ କହିଥିଲେ। ଫେବୃଆରୀ ୨୮ ରେ ହିଁ ସେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.