ନୂଆଦିଲ୍ଲୀ: ମଣିପୁରରେ ପୁଣି ହିଂସା । ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ । କୁକି ସଂପ୍ରଦାୟ ଉଗ୍ରବାଦୀଙ୍କ ଗୁଳି ମାଡ଼ରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ପୋଲିସ କର୍ମୀ ଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଧରିବାକୁ ସ୍ଥାନୀୟ ପୋଲିସ ଏବଂ ଭାରତୀୟ ସେନା ଛାନଭିନ୍ ଜାରି ରଖିଛି ।
ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର କତ୍ରୁକ ଏବଂ କାଣ୍ଡଗଓ୍ବାଣ୍ଡ୍ ଘାଟିରେ କୁକି ଉଗ୍ରବାଦୀମାନେ ଉତ୍ପାତ କରିଛନ୍ତି । ଏଥର ଆକ୍ରମଣରେ କୁକି ଉଗ୍ରବାଦୀମାନେ ଡ୍ରୋନ ବ୍ୟବହାର କରିଥିଲେ । ପାହାଡ଼ ଉପରୁ ଡ୍ରୋନ୍ ଦ୍ବାରା ସୁରକ୍ଷାବାହିନୀକୁ ଟାର୍ଗେଟ୍ କରିଥିଲେ । ସେଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ ଘର ଉପରେ ବୋମା ବର୍ଷା କରିଥିଲେ । ଫଳରେ ବହୁ ସଂଖ୍ୟାରେ ଘର ଜଳିପୋଡ଼ି ପାଉଁଶ ହୋଇଛି । ଡ୍ରୋନରେ ବୋମା ମାଡ଼ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଉଗ୍ରବାଦୀ ।
କୁକି ସଂପ୍ରଦାୟର ଉଗ୍ରବାଦୀଙ୍କ ହିଂସାତ୍ମକ ଘଟଣାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ମଣିପୁର ସରକାର । କୁକି-ଜୋ ସଂପ୍ରଦାୟ ଏକ ସ୍ବତନ୍ତ୍ର ପ୍ରଶାସନ ଦାବିରେ ତିନୋଟି ରାଲି ବାହାର କରିଥିଲେ । ଏଥିରେ ସେମାନେ ଉତ୍ତେଜନା ମୂଳକ ଭାଷଣ ଦେଇଥିଲେ । ଫଳରେ ଆଦିବାସୀ ବହୁଳ ଚୁରାତାନ୍ଦପୁର, କାଙ୍ଗପୋକ୍ସି ଓ ତେଙ୍ଗନୁପାଲ ଅଞ୍ଚଳରେ କୁକି ଏବଂ ମୈତେଇ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ମଣିପୁର ବିଜେପି ମୁଖପାତ୍ର ମାଇକେଲ୍ ଲାମଜାଥାଙ୍ଗଙ୍କ ବାସଭବନରେ ଉଗ୍ରବାଦୀମାନେ ନିଆଁ ଲଗାଇ ଦେଇଛନ୍ତି ।...