ନୂଆଦିଲ୍ଲୀ: ମଣିପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଜିରିବାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ ଜଣ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି । ଜିରିବାମ ଜିଲ୍ଲାର ବୋରୋବେକରା ପୋଲିସ ଷ୍ଟେସନ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ଉଦ୍ୟମ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟରେ କୁକି ଉଗ୍ରବାଦୀ ବୋରୋବେକରା ସ୍ଥିତ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ଯବାନ ଏହାର ପାଲଟା ଜବାବ ଦେଇଥିଲେ । ଅନେକ ରାଉଣ୍ଡ ଫାୟାରିଂ ହୋଇଥିଲା । ଯେଉଁଥିରେ ୧୧ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ୪ଟି SLR, ୩ଟି ଏକେ-47, ଗୋଟିଏ ଆରପିଜି ସମେତ ଅନ୍ୟ ହତିଆର ଏବଂ ଗୋଳା-ବାରୁଦ ଜବତ ହୋଇଛି ।
ଏହା ପର୍ବରୁ ବୋରୋବେକରା ପୋଲିସ ଥାନା ଅନ୍ତର୍ଗତ ଜକୁରାଧୋରରେ ମୈତେଇ ସମୁଦାୟର ତିନିରୁ ୪ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇଥିଲେ । ଏଥିରେ ସଶସ୍ତ୍ର କୁକି ଉଗ୍ରବାଦୀଙ୍କ ହାତ ଥିବା କୁହାଯାଉଥିଲା । ନିଆଁ ଲଗାଇବା ଘଟଣା ପୋଲିସ ଷ୍ଟେସନଠାରୁ ୧୦୦ ମିଟର ଦୂରରେ ଘଟିଥିଲା । ସିଆରପିଏଫ୍, ଆସାମ ରାଇଫାଲ୍ସ ଏବଂ ମଣିପୁର ପୋଲିସର ଯବାନଙ୍କୁ ବୋରୋବେକରା ପୋଲିସ ଷ୍ଟେସନର ମୁୟତନ କରାଯାଇଛି ।
ପୋଲିସ ଷ୍ଟେସନ ନିକଟରେ ଘରେ ନିଆଁ ଲଗାଇବା ଘଟଣା ପରେ ବି କୁକି ଉଗ୍ରବାଦୀଙ୍କୁ ସୁରକ୍ଷାକର୍ମୀ କୌଣସି ଜବାବ ଦେଇନଥିଲେ । କିନ୍ତୁ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବା ପରେ ସୁରକ୍ଷାକର୍ମୀ କଡ଼ା ପ୍ରତିକ୍ରିୟା ଦେଇ ୧୧ କୁକି ଉଗ୍ରବାଦୀଙ୍କୁ ନିହତ କରିଛନ୍ତି ।
୨୦୨୩ ମେ ୩ରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା । କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି ସୁରକ୍ଷା ଶିବିରରେ ରରିବାକୁ ବାଧ୍ୟ ହେଉଛନ୍ତି । ମଣିପୁରରେ ଗତ ଦେଢ ବର୍ଷରେ ୧୧ ହଜାର ଏଫ୍ଆଇଆର୍ ଏବଂ ୫୦୦ରୁ ଅଧିକ ଗିରଫଦାରୀ ହୋଇଛି ।