ହିଂସାରେ ଜଳୁଛି ମଣିପୁର, ଦଙ୍ଗାକାରୀଙ୍କ ଗୁଳିରେ ଆଉ ଜଣେ ବିଏସଏଫ ଯବାନ ସହିଦ
27/06/2023 at 11:30 AM

ନୂଆଦିଲ୍ଲୀ: ମଣିପୁରରେ ହିଂସା କେବେ ଥମିବ ତାହା କହିବା ବହୁତ ବଡ଼ ମୁସ୍କିଲ। ରାଜ୍ୟରେ ଲଗାତାର ମାହୋଲ ବିଗିଡ଼ିବାରେ ଲାଗିଛି। ଏହି କ୍ରମରେ ହିଂସାଗ୍ରସ୍ତ ରାଜ୍ୟର ତେଙ୍ଗନୌପାଲ ଜିଲ୍ଲାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି। ବିଏସଏଫ ଅନୁଯାୟୀ, କେନ୍ଦ୍ରୀୟ ପୋଲିସ ବଳର ୧୨୨ ବାଟାଲିୟନର ସହିଦ ନରେନ୍ଦ୍ର କୁମାର ଭାରତ-ମିଆଁମାର ସୀମାରେ ସ୍ଥିତ ମୋରେହ ସହରରେ ମୁତୟନ ଥିଲେ।

ସୂଚନା ଅନୁଯାୟୀ, ଦୁର୍ବୃତ୍ତ ମୋରେହ ଗାଁରେ ଆକ୍ରମଣ କରିଥିଲେ, ଘର ଗୁଡ଼ିକରେ ନିଆଁ ଲଗାଇବା ସହ ଆଖିବୁଜା ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତଙ୍କ ବିରୋଧରେ ଲଢି ନରେନ୍ଦ୍ର କୁମାର ନିଜର ଜୀବନ ଦେଇଛନ୍ତି। ହେଲେ ଘଟଣା ବିଷୟରେ ବିସ୍ତୃତ ସୂଚନା ମିଳିପାରି ନାହିଁ। ଏହା ପୂର୍ବରୁ ଜୁନ ୬ରେ କାକଚିଙ୍ଗ ଜିଲ୍ଲାର ସେରୋ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବିଏସଏଫ ଯବାନ ରଞ୍ଜିତ ଯାଦବଙ୍କ ମୃତ୍ୟୁ ଘଟିଥିଲା।ଏହି ସମୟରେ ସେନା ଏବଂ ଆସାମ ରାଇଫଲ୍ସର ଯବନାମାନେ ସୋମବାର ଏବଂ ମଙ୍ଗଳବାର ଦୁଇଟି ଅଲଗା ଅଲଗା ଘଟଣାରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରିଛନ୍ତି।

ଉଲ୍ଲେଖନୀୟ ମଣିପୁରରେ ସଂଖ୍ୟାବହୁଳ ମେଇତି ଏବଂ ସଂଖ୍ୟାଲଘୁ କୁକି ସମୁଦାୟ ମଧ୍ୟରେ ଦୁଇ ମାସ ହେବ ଜାରି ହିଂସାରେ ଅଦ୍ୟାବଧି ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ସ୍ଥିତି ସୁଧୁରିବା ଜାଗାରେ ବିଗିଡ଼ିବାରେ ଲାଗିଛି। କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇ ମଣିପୁର ସ୍ଥିତିର ଆଲୋଚନା କରିଛନ୍ତି। ତଥାପି ସ୍ଥିତି ସୁଧୁରିବାର ନାଁ ନେଉନାହିଁ। ଏହା ମଧ୍ୟରେ ଜୁନ ୨୮-୨୯ ତାରିଖରେ କଂଗ୍ରେସର ନେତା ରାହୁଲ ଗାନ୍ଧୀ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଦଳର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି।