ମୈତେଇ ସମୁଦାୟକୁ ST ସୂଚୀରେ ସାମିଲ କରିବା ପ୍ରସଙ୍ଗ, ନିଜ ଆଦେଶକୁ ରଦ୍ଦ କଲେ ମଣିପୁର ହାଇକୋର୍ଟ

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ମଣିପୁର ହାଇକୋର୍ଟ ମୈତେଇ ସମୁଦାୟକୁ ଅନୁସୂଚିତ ଜନଜାତି ସୂଚୀରେ ସାମିଲ କରିବା ବିଚାର କରିବା ଆଦେଶକୁ ରଦ୍ଦ କରିଛନ୍ତି । ଜଷ୍ଟିସ୍ ଗୋଲମେଇ ଗେଫୁଲଶିଲୁଙ୍କ ପୀଠ ଆଦେଶର ଏକ ବିବାଦୀୟ ପାରାଗ୍ରାଫକୁ ହଟାଇ କହିଛନ୍ତି ଯେ ଏହା ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠର ବିରୋଧ ଥିଲା । ମାର୍ଚ୍ଚ ୨୭, ୨୦୨୩ରେ ହାଇକୋର୍ଟ ମୈତେଇ ସମୁଦାୟକୁ ଏସଟି ସୂଚୀରେ ସାମିଲ କରିବା ଉପରେ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଣିପୁରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ୨୦୨୩ ମାର୍ଚ୍ଚ ୩ରୁ ଦୁଇ ସମୁଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା । ଏବେ ବି ରାଜ୍ୟରୁ ହିଂସା ନେଇ ଖବର ସାମନାକୁ ଆସୁଛି । ଏହି ଜାତିଗତ ହିଂସାରେ ଏବେ ସୁଦ୍ଧା ମୋଟ ୧୫୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ମୈତେଇ ସମୁଦାୟଙ୍କୁ ଏସଟି ମାନ୍ୟତା ଦିଆଯିବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିଲା । ଏହା ଉପରେ ଫେବ୍ରୁଆରୀ ୨୧ରେ ଶୁଣାଣି ହୋଇଥିଲା । ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ଅନୁସାରେ କୌଣସି ଜନଜାତିଙ୍କୁ ଏସଟି ସୂଚୀରେ ସାମିଲ କରିବା ପାଇଁ ନ୍ୟାୟିକ ନିର୍ଦ୍ଦେଶ ଜାରି କରାଯାଇ ପାରିବ ନାହିଁ, କାରଣ ଏହା ରାଷ୍ଟ୍ରପତିଙ୍କ ଏକମାତ୍ର ବିଶେଷାଧିକାର ।

ପଢନ୍ତୁ: ମଣିପୁରରେ ପୁଣି ହିଂସା: ୨ ମୃତ, ୪୦ରୁ ଅଧିକ ଆହତ

ଏହା ଉପରେ ଶୁଣାଣି କରି ମଣିପୁର ହାଇକୋର୍ଟ କହିଥିଲେ ଯେ ପୀଠ ୨୦୨୩ ମାର୍ଚ୍ଚ ୨୭ରେ ନିର୍ଦ୍ଦେଶ ଦେଇଥିଲେ ଯେ ମୈତେଇ ସମୁଦାୟକୁ ଯଦି ଏସଟିରେ ସାମିଲ କରିବାର ଅଛି, ତେବେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ । କୋର୍ଟ ନିଜ ଆଦେଶରେ ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠର ଏକ ଆଦେଶକୁ ଉଲ୍ଲେଖ କହିଛନ୍ତି, ଯେଉଁଥିରେ ଜନଜାତିଙ୍କୁ ଅନୁସୂଚିତ ସୂଚୀରେ ସାମିଲ କରିବା ଏବଂ ବାହାର କରିବା ପ୍ରକ୍ରିୟା ସ୍ଥିର କରାଯାଇଛି । ଶୀର୍ଷ କୋର୍ଟ କହିଥିଲେ ଯେ କୋର୍ଟ ଏସଟି ଲିଷ୍ଟରେ ପରିବର୍ତ୍ତନ, ସଂଶୋଧନ କିମ୍ୱା ତାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ପାରିବେ ନାହିଁ । ଏହି ଦାୟିତ୍ୱ କେନ୍ଦ୍ର ସରକାରଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.