ମଣିପୁର ଛାତ୍ରଛାତ୍ରୀ ହତ୍ୟା ଘଟଣା: ଧରାପଡ଼ିଲେ ୪ ଅଭିଯୁକ୍ତ, ମୁଖ୍ୟମନ୍ତ୍ରୀ କହିଲେ- ଦୋଷ ପ୍ରମାଣ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
1/10/2023 at 9:32 PM

ଇମ୍ଫାଲ: ମଣିପୁର ୨ ଛାତ୍ର ମୃତ୍ୟୁ ଘଟଣାରେ ଅପରାଧିମାନେ ଗିରଫ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ସୂଚନା ଦେଇଛନ୍ତି। ଦୋଷୀଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ବିରେନ ସିଂହ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖି ଜଣାଇଛନ୍ତି ଯେ ଦୁଇ ଛାତ୍ରଙ୍କୁ ଅପହରଣ କରି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଚୁରାଚାନ୍ଦପୁରରୁ ଗିରଫ କରାଯାଇଛି।
ଫିଜାମ ହେମଜିତ (୨୦) ଓ ହିଜାମ ଲିନ୍ଥୋଇଙ୍ଗାମୀ(୧୭) ନାମକ ଜଣେ ଛାତ୍ର ଓ ଛାତ୍ରୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ସେମାନଙ୍କୁ ହତ୍ୟା କରିବା ପରେ ସେପ୍ଟେମ୍ବର ୨୫ ତାରିଖରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ଆନ୍ଦୋଳନ ଅଧିକ ହିଂସ୍ର ହୋଇ ଉଠିଥିଲା। ଅପରାଧିଙ୍କୁ ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ମଣିପୁର ପଠାଇଥିଲେ। ଏହି ଟିମ୍ ଆର୍ମି, ପାରାମିଲିଟାରୀ ଫୋର୍ସ ଓ ମଣିପୁର ପୁଲିସ ସହାୟତାରେ ମାମଲାର ତଦନ୍ତ କରୁଥିଲେ। ଶେଷରେ ଅପରାଧିଙ୍କୁ ଗିରଫ କରାଯାଇଛି। ଏହା ଏକ ବଡ଼ ସଫଳତା ବୋଲି ବିରେନ ସିଂହ କହିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କର ମୃତଦେହ ଗାଏବ ହେବା ନେଇ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଅପରାଧିଙ୍କୁ ପଚରାଉଚରା କରିବା ପରେ ସତ ପଦାକୁ ଆସିବ।
ଜୁଲାଇ ୩ ତାରିଖରେ ଏହି ଦୁଇ ଛାତ୍ର ନିଖୋଜ ଥିଲେ। ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନଃ ଆରମ୍ଭ ହେବା ପରେ ସୋସିଆଲ ମିଡିଆରେ ସେମାନଙ୍କର ମୃତଦେହ ଭାଇରାଲ୍ ହୋଇଥିଲା। ସୂଚନା ଅନୁସାରେ, ମେ ମାସରେ ମୈତେଇ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ହିଂସା ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପ୍ରଥମେ ସ୍ଥଗିତ ରଖାଯାଇଥିଲା।
ଫଟୋ ଭାଇରାଲ ହେବା ପରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଶତାଧିକ ଛାତ୍ର ରାସ୍ତାକୁ ଓହ୍ଲାଇ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଆନ୍ଦୋଳନ କରିଥିଲେ। ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହି ଘଟଣାରେ ରାଜ୍ୟ ପୋଲିସ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ ସମେତ ସୁରକ୍ଷା ବାହିନୀ ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଲୁହବୁହା ଗ୍ୟାସ୍ ସେଲ୍ ଏବଂ ଧୂଆଁ ବୋମାମାଡ଼ କରିଥିଲେ। ଏଥିରେ ଅତି କମରେ ୪୫ ଜଣ ଛାତ୍ର ଆହତ ହୋଇଥିଲେ।
ବିକ୍ଷୋଭକାରୀମାନେ ପୂର୍ବ ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ପୈତୃକ ଘର ଆଡ଼କୁ ଅଗ୍ରସର ହୋଇଥିଲା। ସେପ୍ଟେମ୍ବର ୨୮ ତାରିଖ ରାତିରେ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ୧୦୦ ମିଟର ଦୂରରୁ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇଥିଲେ। ଫଳରେ ଉଭୟ ମଧ୍ୟରେ ହିଂସା ହୋଇଥିଲା।