୧୫ ଲକ୍ଷ ଟଙ୍କାର ଡ୍ରଗ୍ସ ସହ ଗିରଫ ହେଲେ ଏମଆଇଟି ଛାତ୍ର, ଅନ୍ୟ ପିଲାଙ୍କୁ ବିକ୍ରି କରୁଥିଲେ

Published By : Prameya-News7 Bureau | October 06, 2020 IST

ଉଡୁପି ୦୬।୧୦: ମନିପାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଏମଆଇଟି)ର ପଢୁଥିବା ଜଣେ ଶେଷ ବର୍ଷର ଇଞ୍ଜିନିୟରିଂ ଛାତ୍ରକୁ କର୍ଣ୍ଣାଟକର ଉଡୁପି ପୋଲିସ ରବିବାର ଗିରଫ କରିଛି। ଛାତ୍ରଠୁ ପୋଲିସ ୪୮୮ ଏମଡିଏମଏ ବଟିକା ଜବତ କରିଛି, ଯାହାର ମୂଲ୍ୟ ୧୫  ଲକ୍ଷ ଟଙ୍କା ହେବ। ପୋଲିସ ଅନୁଯାୟୀ ଛାତ୍ର ଜଣକ ଡାର୍କ ଓ୍ଵେବ୍ ମାଧ୍ୟମରେ ଡ୍ରଗ୍ସ ମଗାଇଥିଲା ଏବଂ ସାଥୀ ଛାତ୍ରମାନଙ୍କୁ ବିକିବା ଯୋଜନାରେ ଥିଲା।

ଅଭିଯୁକ୍ତ ଛାତ୍ରର ନାମ ୨୦ ବର୍ଷୀୟ ଯୁବାଂଶୁ ଯୋଶୀ। ସେ ମନିପାଲରେ ଏକ ଭଡା ଘରେ ରହୁଥିଲା ଏବଂ ନୋଏଡାରୁ ପଢିବାକୁ ଆସିଥିଲା। ପୋଲିସ ତାକୁ ସେହି ସମୟରେ ଧରିଥିଲା ଯେତେବେଳେ ଛାତ୍ରଜଣକ ଉଡୁପିର ସେମ୍ବ୍ରା ବ୍ରିଜ ନିକଟରେ କିଛି ନିଷିଦ୍ଧ ଜିନିଷ ବିକିବାକୁ ଉଦ୍ୟମ କରୁଥିଲା। ଡ୍ରଗ୍ସ ସହିତ ପୋଲିସ ମୋବାଇଲ ଫୋନ ଓ ବାକଇ ମଧ୍ୟ ଜବତ କରିଛି।

ସୂଚନା ଅନୁଯାୟୀ ଏକ ଟିମ୍ ଦ୍ଵାରା ଏହି ଗିରଫଦାରୀ ହୋଇଛି। ଟିମ୍‌ର ନେତୃତ୍ଵ ନେଇଥିଲେ ଉଡୁପିର ପୋଲିସ ଅଧୀକ୍ଷକ ବିଷ୍ଣୁବର୍ଦ୍ଧନ। ଏହି ଟିମ୍‌ରେ ଅତିରିକ୍ତ ପୋଲିସ ଅଧୀକ୍ଷକ କୁମାରଚନ୍ଦ୍ର, ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଭାଗ ପୋଲିସ ନୀରିକ୍ଷକ ଜୟ ଶଙ୍କର, ଡିସିପି ମଞ୍ଜୁନାଥ ଏମ ଗୌଡା ଓ ମଣିପାଲ ଷ୍ଟେସନ କର୍ମୀ ସାମିଲ ଥିଲେ।

ଏସପି ବିଷ୍ଣୁବର୍ଦ୍ଧନ କହିଛନ୍ତି ତାଙ୍କ ଟିମ୍ ପୂରା ଡ୍ରଗ୍ସ ରାକେଟ୍‌ର ଯାଞ୍ଚ କରୁଛନ୍ତି। ଡ୍ରଗ୍ସ କେଉଁଠୁ ଆସୁଛି ଏବଂ ଏଥିରେ କିଏ କିଏ ସାମିଲ ଅଛି ଏହାର ଖୋଳତାଡ କରାଯାଉଛି। ପୋଲିସ ପ୍ରଥମେ ଅନିଶ୍ଚିତ ଥିଲା ଯେ ବାହାରର ଛାତ୍ର ସହରକୁ କଣ ପାଇଁ ଆସୁଥିଲେ।

ଗିରଫଦାରୀ ପରେ ଛାତ୍ରଙ୍କୁ କଲେଜରୁ ସସପେଣ୍ଡ କରାଯାଇଛି। ବେଙ୍ଗାଲୁରୁରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଦ୍ଵାରା ନିକଟରେ ଜୁଲାଇ ମାସରେ ନେଦରଲାଣ୍ଡରୁ ଭାରତ ପଠାଯାଇଥିବା ପାର୍ସଲ ପରେ ଡ୍ରଗ୍ସ ରାକେଟ୍‌ରେ ସାମିଲ ଚାରି ସଦସ୍ୟଙ୍କୁ ଗିରଫ କରିଥିଲା। ଏନସିବି କହିଥିଲା ଏହି ଗୋଷ୍ଠୀ ଉଡୁପିରେ ଛାତ୍ରମାନଙ୍କୁ ଡ୍ରଗ୍ସ ବିକ୍ରି କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.