ତ୍ରିପୁରାରେ ସସ୍ପେନ୍ସ ଶେଷ, ମାଣିକ ଶାହା ହେବେ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି
6/03/2023 at 7:03 PM

ନୂଆଦିଲ୍ଲୀ: ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ନେବେ ମାଣିକ ଶାହା । ସୋମବାର ସଂଧ୍ୟାରେ ରାଜ୍ୟର ନବନିର୍ବାଚିତ ବିଜେପି ବିଧାୟକଙ୍କୁ ନେଇ ହୋଇଥିବା ବୈଠକରେ ମାଣିକ ଶାହା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ମାର୍ଚ୍ଚରେ ୮ରେ ଶପଥ ଗ୍ରହଣ ସମାରୋହ ହେବ । ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୬୦ରୁ ୩୩ ଆସନରେ ବିଜୟୀ ହୋଇ ପୁଣି ଥରେ କ୍ଷମତାକୁ ଫେରିଛି ।
ବୁଧବାର ମୁଖ୍ୟମନ୍ତ୍ରୀ ଏବଂ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସାମିଲ ହୋଇପାରନ୍ତି ।
ରବିବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବାସଭବନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ବୈଠକ ହୋଇଥିଲା । ସୂତ୍ର ଅନୁସାରେ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକଙ୍କ ନାଁ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । କିନ୍ତୁ ଦଳର ଶୀର୍ଷ ନେତୃତ୍ୱ ୭୦ ବର୍ଷୀୟ ଶାହାଙ୍କ ସପକ୍ଷରେ ରହିଥିଲେ ।