ରାଜଧାନୀରେ ଚାଲିଛି ୫ ଦିନିଆ ଆମ୍ବ ମେଳା, ସ୍ଥାନ ପାଇଛି ରାଜ୍ୟର ବିଭିନ୍ନ ସ୍ଥାନର ଉନ୍ନତମାନର ଜୈବିକ ଆମ୍ବ
5/06/2019 at 4:35 PM

ଭୁବନେଶ୍ବର ୫|୬: ଆମ୍ବ, ଫଳ ମାନଙ୍କ ମଧ୍ୟରେ ରାଜା । ତାଜା ଦେଶୀ, ରସାଳିଆ ଆମ୍ବ ଦେଖିଲେ ଯେକେହିବି ହେଉ ମୁହଁରେ ପାଣି ଆସିଯିବ । ତେବେ ରାଜଧାନୀରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଆୟୋଜିତ ପାଂଚଦିନିଆ ଆମ୍ବ ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନର ଉନ୍ନତମାନର ଜୈବିକ ଆମ୍ବ ସବୁ ସ୍ଥାନ ପାଇଛି । ଯାହାକୁ ନେତା ଠାରୁ ଜନତା ସମସ୍ତେ ବୋହିନେଉଛନ୍ତି । ସେପଟେ ଚତୁର୍ଥ ଦିନ ସୁଦ୍ଧା ୨୫ଟନ୍ ଆମ୍ବ ବିକ୍ରି ସରିଥିବାବେଳେ ଏହି ମେଳା ଚାଷୀଙ୍କୁ ଯୋଗାଇଛି ବିକ୍ରିର ବଡ ପ୍ଲାଟଫର୍ମ ।

ଫଳମାନଙ୍କର ରାଜା ଆମ୍ବ । ତେବେ ରାଜଧାନୀରେ ଏହି ରଜା ଫଳର ବିଭିନ୍ନ ଭେରାଇଟି ଦେଖିବାକୁ ମିଳିଛି ଆମ୍ବ ମେଳାରେ । ରାଜଧାନୀର ୟୁନିଟ ୮ ସ୍ଥିତ ଓରମାସ ଅଫିସ ସମ୍ମୁଖରେ ଆମ୍ବ ମେଳାରେ ଦେଖିବାକୁ ମିଳିଛି ଆମ୍ରପଲ୍ଲୀ, ଦଶେରୀ, ଲେଙ୍ଗେଡା, ମଲ୍ଲିକା, ସୁନ୍ଦରୀ, ନିଲମ, ହିମ୍ ସାଗର, ବମ୍ବେ ଗ୍ରୀନ ଓ ବାଇଗଣୀପଲ୍ଲୀ ଆଦି ଆମ୍ବ ।ପେଷ୍ଟିସାଇଡ ବିହୀନ ଏହି ଆମ୍ବ ସବୁ ବଗିଚାରୁ ତୋଳି ଆମ୍ବ ଚାଷୀ ମାନେ ଏଠାକୁ ଆଣି ଯୋଗଦେଇଥିଲେ । ରାଜ୍ୟର ଆମ୍ବ ଚାଷୀ ତଥା ଉତ୍ପାଦକ ଗୋଷ୍ଠି ମାନଙ୍କୁ ଉତ୍ସାହିତ କରିବା ଓ ବିକ୍ରି ପାଇଁ ଉଚିତ ଦର ଓ ବଜାର ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମାସ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଉତ୍ସବ । ତେବେ ୧ ତାରିଖରୁ ୫ ତାରିଖ ଯାଏଁ ଚାଲିଥିବା ଏହି ଉତ୍ସବରେ ଚତୁର୍ଥ ଦିନ ସୁଦ୍ଧା ୨୫ ଟନ୍ ଆମ୍ବ ବିକ୍ରି ହୋଇଥିବା ସୂଚନା ଦେଇଛନ୍ତି ଏହାର ଅଧିକାରୀ ।

ରାଜଧାନୀ ବାସୀ ଏହି ଆମ୍ବ ମେଳାକୁ ନେଇ ମଧ୍ୟ ବେସ୍ ଖୁସି । ଏପରକି ନେତାରୁ ଜନତା ଯାହାକୁ ଦେଖିବେ ହାତରେ ଆମ୍ବର ଥଳି । କିଏ କେଜିଏ ତ କିଏ ୧୫ କେଜି ଆମ୍ବ ବୋହି ନେଉଥାନ୍ତି ମେଳାରୁ । ରାସ୍ତାରେ ଯାଉଥିବା ଲୋକେ ବି ଏହି ରସାଳିଆ ଦେଶୀ ବଗିଚା ଆମ୍ବ ଦେଖି ବେସ ଖୁସି ନେବାକୁ । ତେବେ ଉନ୍ନତ ମାନର ଆମ୍ବ ଉତ୍ପାଦନ ଲାଗି ଜଣାସୁଣା ରାଜ୍ୟର ଅନୁଗୁଳ, ବଲାଙ୍ଗୀର, ଗଜପତି, କୋରାପୁଟ, ମୟୁରଭଂଜ, ରାୟଗଡା, କଳାହାଣ୍ଡି, ସମ୍ବଲପୁର ଆଦି ସହରରୁ ଯୋଗଦେଇଥିଲେ ଚାଷୀ । ତେବେ ଏଭଳି ଦେଶୀ ଆମ୍ବ ପାଇ ଜନତା ଯେମିତି ଖୁସି ବେପାରୀ ମଧ୍ୟ ବିକ୍ରି କରିବାର ଏଭଳି ସୁଯୋଗ ପାଇ ବେସ୍ ଉତ୍ସାହିତ । କାରଣ ନିଜ ସହରରରେ ଖୁବ୍ କମ୍ ମୂଲ୍ୟରେ ବିକ୍ରି ହେଉଥିବା ସୁସ୍ବାଦୁ ଆମ୍ବ କୁ ବିକି ଦିପଇସା ଅଧିକ ରୋଜଗାରର ସୁଯୋଗ ମିଳିଛି ଏମାନଙ୍କୁ ।

ଚଳିତ ବର୍ଷ ଆରମ୍ଭ ହୋଇଥିବା ଏହି ମେଳା ଏକ ପ୍ରକାର ନିଜ ଉଦ୍ଦେଶ୍ୟରେ ପହଂଚିପାରିଛି । ତେଣୁ ଆଗକ ଏହାକୁ ଆହୁରି ବଡ ଆକାରରେ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ ।