ସୁଲତାନପୁର ୨୨।୫: ବିଜେପି ବରୁଣ ଗାନ୍ଧିଙ୍କୁ ଟିକେଟ୍ ଦେବାକୁ ମନା କରିଦେଲା, ଏଥିରେ ସମସ୍ତଙ୍କ ଧ୍ୟାନ ତାଙ୍କ ମା ଓ ସୁଲତାନପୁରରେ ପାର୍ଟିର ପ୍ରାର୍ଥୀ ମେନକା ଗାନ୍ଧିଙ୍କ ଆଡକୁ ଚାଲି ଯାଇଥିଲା। ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିବା ମେନକା ମେ ୨ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ କାଳରେ ତାଙ୍କ ସହିତ କେବଳ ଏନଡିଏ ସହଯୋଗୀ ତଥା ନିଷାଦ ପାର୍ଟି ଅଧ୍ୟକ୍ଷ ଡା. ସଞ୍ଜୟ ନିଷାଦ ଓ ଆପନା ଦଲ ନେତା ଆଶିଷ ପଟେଲ ଥିଲେ। ବିଜେପିର ବରିଷ୍ଠ ନେତାମାନେ ସ୍ପଷ୍ଟ ରୂପେ ମେନକାଙ୍କ ପ୍ରାର୍ଥୀପତ୍ର ଦାଖଲରୁ ନିଜକୁ ଦୂରେଇ ରଖିଥିଲେ।
ମେ ୨୫ ତାରିଖରେ ସୁଲତାନପୁର ଲୋକସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ତେବେ ମେନକାଙ୍କ ପ୍ରଚାରରେ ବିଜେପି ଷ୍ଟାର ପ୍ରଚାରକ ସୂଚୀର ଜଣେ ବି ନେତା ମେନକାଙ୍କ ସମର୍ଥନରେ ପ୍ରଚାର କରିବାକୁ ସୁଲତାନପୁର ଆସି ନାହାନ୍ତି। ତେବେ ମେନକାଙ୍କ ନିକଟସମ୍ପର୍କୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମେନକା କୌଣସି ବରିଷ୍ଠ ନେତାଙ୍କୁ ତାଙ୍କ ପ୍ରଚାର ଅଭିଯାନରେ ସାମିଲ ହେବା ପାଇଁ ଅନୁରୋଧ କରି ନାହାନ୍ତି, ବରଂ ସେ ସିଧାଶଳଖ ଭୋଟରଙ୍କ ସହ ସଂଯୁକ୍ତ ହୋଇଛନ୍ତି।
ଭୋଟରଙ୍କୁ ପ୍ରେରିତ କରିବା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଅଥବା ମୁଖ୍ୟମନ୍ତ୍ରୀଙ୍କ ରାଲିର ଆବଶ୍ୟକତା ନାହିଁ। ମେନକା ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳିରେ ତୃଣମୂଳ ସ୍ତରରେ କାମ କରୁଛନ୍ତି ଓ ଅବଦ୍ଧ କ୍ଷେତ୍ରର ଏହି ଅଞ୍ଚଳରେ ୧୨୦୦ ପଞ୍ଚାୟତ ମଧ୍ୟରୁ ସେ ୧୦୦ ଟି ପଞ୍ଚାୟତକୁ ନିଜେନିଜେ କଭର କରିଛନ୍ତି ବୋଲି ପାର୍ଟିର ଜନୈକ ବରିଷ୍ଠ ନେତା କହିଛନ୍ତି। ମିଳୁଥିବା ସୂଚନା ଅନୁସାରେ ୯୦୦ରୁ ଅଧିକ ଗ୍ରାମସଭାମାନଙ୍କର ପ୍ରଧାନ ସିଧାଶଳଖ ମେନକା ଗାନ୍ଧିଙ୍କ ସହ ସମ୍ପର୍କରେ ଅଛନ୍ତି। ଏହା ହିଁ ତାଙ୍କ ବିଜୟର ଫର୍ମୂଲା ହେବ ବୋଲି ମେନକା ଭାବୁଛନ୍ତି।
ଏହା ଛଡା ନିଜ ଲୋକସଭା ନିର୍ବାଚନମଣ୍ଡଳିରେ ହାଇପ୍ରୋଫାଇଲ ପ୍ରଚାରରୁ ବର୍ତ୍ତିବା ପାଇଁ ମେନକାଙ୍କ ରଣନୀତିର ଉଦ୍ଦେଶ୍ୟ ହେଉଛି ଧ୍ରୁବିକରଣର ରାଜନୀତିରୁ ଦୂରରେ ରହିବା, ଯାହାର ବିପରୀତ ପ୍ରଭାବ ବି ପଡିପାରେ। ମେନକା ଜାତି ଓ ସମୂଦାୟ ଆଧାରରେ ଅପିଲ କରି ନିଜର ଗତ ପାଞ୍ଚ ବର୍ଷର ରେକର୍ଡ ଆଧାରରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ବିଜେପିର ଜନୈକ ବରିଷ୍ଠ ନେତା ମେନକାଙ୍କ ‘ଏକଲା ଚଲୋ’ ରଣନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବରୁଣ ଗାନ୍ଧିଙ୍କ କାରଣରୁ ମେନକାଙ୍କୁ ଲୋକଙ୍କ ଭାବନାତ୍ମକ ସମର୍ଥନ ମିଳୁଛି। ସେ ସାଂସଦ ଭାବେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ଜଡିତ ଅଛନ୍ତି ଓ ଏହାହିଁ ତାଙ୍କୁ ଜଣେ ବିଜୟୀ ପ୍ରାର୍ଥୀ କରିଛି।
ମେନକା ଗାନ୍ଧି ସୁଲତାନପୁରରୁ ବିଜେପି ଟିକେଟରେ ତାଙ୍କର ଦ୍ୱିତୀୟ ନିର୍ବାଚନ ଲଢୁଛନ୍ତି। ୨୦୧୯ ନିର୍ବାଚନରେ ମେନକା ସପା-ବସପା ମେଣ୍ଟ ପ୍ରାର୍ଥୀ ଚନ୍ଦ୍ରଭଦ୍ର ସିଂ ସୋନୁଙ୍କୁ ୧୪,୫୨୬ ଭୋଟରେ ପରାସ୍ତ କରିଥିଲେ। ଏଥର ନିର୍ବାଚନରେ ମେନକାଙ୍କ ଲାଗି ଯାହା ଲାଭର କଥା ତାହା ହେଉଛି ତାଙ୍କ ବିରୋଧରେ ମଜଭୁତ ବିପକ୍ଷ ଲହର ନାହିଁ। ଏହାଛଡା ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସେ ଜାତି, ଧର୍ମ ଓ ବର୍ଗକୁ ଗୁରୁତ୍ୱ ଦେଇ ନାହାନ୍ତି। ସମସ୍ତଙ୍କ ଲାଗି ସରକାରୀ ଯୋଜନାର ଲାଭ ସମାନ ଦେଇଛନ୍ତି।
ସୁଲତାନପୁରରେ ମେ ୨୫ ତାରିଖରେ ଷଷ୍ଠପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରାରମ୍ଭିକ ପାଞ୍ଚ ପର୍ଯ୍ୟାୟ ପରେ ବିରୋଧୀ ନେତା ଅବଧ କ୍ଷେତ୍ରରେ ସେମାନଙ୍କ ଉଦ୍ୟମ ତୀବ୍ର କରିବେ। ଯଦି ସେମାନେ ପଛୁଆ, ଅତି ପଛୁଆ ଓ ଦଳିତସମୂଦାୟ ମଧ୍ୟରେ ବିଜେପି ମତଦାତା ଅଧାରରେ ସିନ୍ଧି କରିପାରିଲେ ତେବେ ନିର୍ବାଚନ ଫଳାଫଳ ଅପ୍ରତ୍ୟାସୀତ ହୋଇପାରେ। ଏଣୁ ରାଜ୍ୟରେ ସପା ଓ ବସପାଙ୍କୁ ପ୍ରଥମେ ନିର୍ଦ୍ଧାରଣ କରିବାକୁ ହେବ ମେନକା ଗାନ୍ଧିଙ୍କ ଲାଗି ତାଙ୍କ ନିର୍ବାଚନମଣ୍ଡଳିରେ କୋଉ ପାର୍ଟି ମୁଖ୍ୟ ଚ୍ୟାଲେଞ୍ଜ। ନିର୍ବାଚନ ପାଇଁ ଏବେ ବିଜେପି ଓ ବିପକ୍ଷ ନିଜନିଜ ସଂସାଧନ ଓ ରଣନୀତି ଯୋଗାଡରେ ଅଛନ୍ତି। ଏଥିରେ ସୁଲତାନପୁରରେ ଆଗାମୀ ଲୋକସଭା ନିର୍ବାଚନ ଏକ ଭୟଙ୍କର ଲଢେଇରେ ପରିଣତ ହୋଇପାରେ।