ମାତିଛନ୍ତି ଚୋର, ଦଣ୍ଡକାଳୀ ମନ୍ଦିରରେ ବୁଲାଇଲେ କଳାକନା
9/09/2022 at 10:34 AM

ସାନଖେମୁଣ୍ଡି ୦୯/୦୯: ପୋଲିସର ନିଦ ହଜାଇଲେଣି ଚୋର ଗ୍ୟାଙ୍ଗ । ପୂର୍ବରୁ ଘର ଏବେ ମନ୍ଦିର, ଅର୍ଥାତ ମନ୍ଦିର ଉପରେ ପଡିଛି ଚୋରଙ୍କ ଲୋଲୁପ ଦୃଷ୍ଟି । ପ୍ରତିଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଚୋରି ହେବାର ଖବର ସାମ୍ନା କୁ ଆସୁଛି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ମା’ ଦଣ୍ଡ କାଳୀ ମନ୍ଦିରରୁ କିଛି ଦୁର୍ବୁତ୍ତ ଲୁଟ କରି ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି ।
ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା କାଳୀଙ୍କ ବେକରୁ ଦୁଇଟି ମଙ୍ଗଳ ସୂତ୍ର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଚମ୍ପଟ ମାରିଛନ୍ତି । ତେବେ ଚୋରି କରି ମନ୍ଦିର ପରିସର ରେ ଥିବା ସିସି କ୍ୟାମେରାର ଦୁଇଟି ହାର୍ଡଡିସ୍କ ଗୋଟାଏ ମନ୍ଦିର ଭିତରୁ ଏବଂ ଅନ୍ୟଟି ମନ୍ଦିର କାର୍ଯ୍ୟାଳୟରୁ ସିସି କ୍ୟାମେରାର ସମସ୍ତ ଯୋଗାଯୋଗ ଠପ କରି ହାର୍ଡଡିସ୍କ ନେଇଯାଇଛନ୍ତି ।
ତା ସହ ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ୫୫ ଇଞ୍ଚ ବିଶିଷ୍ଟ ଏଲଇଡିଟିଭିକୁ ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ । ଦୁଇଟି ସୁନା ମଙ୍ଗଳ ସୂତ୍ର, ଦାନ ହୁଣ୍ଡୀରୁ ଟଙ୍କା, ମନ୍ଦିରର ଇଲେକ୍ଟ୍ରିକାଲ ସାମଗ୍ରୀ ମଧ୍ୟ ଚୋରି ହୋଇଛି ଯାହାର ମୂଲ୍ୟ ହାରାହାରି ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହବ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।