ବମରେ ଯୋଗୀଙ୍କୁ ଉଡାଇବାକୁ ଧମକ ଦେଇଥିବା ଯୁବକର ଖୁଲାସା, ୧ କୋଟି ଟଙ୍କା ମିଳିବ ବୋଲି ମିଳିଥିଲା ପ୍ରତିଶ୍ରୁତି

Published By : Prameya-News7 Bureau | May 25, 2020 IST

ଲକ୍ଷ୍ନୌ ୨୫।୦୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ହତ୍ୟା ଧମକ ଦେବାକୁ କୁହାଯାଇଥିଲା। ତା ବଦଳରେ ମିଳିଥାନ୍ତା ଏକ କୋଟି ଟଙ୍କା। ଏହାର ଖୁଲାସା କରିଛି ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମାରିବାକୁ ଧମକ ଦେଇଥିବା ଯୁବକ। କାମରାନ ନାମକ ଏହି ଯୁବକ ଉତ୍ତର ପ୍ରଦେଶ ପୋଲିସ୍‌ର ସାମାଜିକ ଗଣମାଧ୍ୟମ ହେଲ୍‌ପ ଡେସ୍କକୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉଡାଇ ଦେବାକୁ ଧମକ ଦେଇଥିଲା। ୨୫ ବର୍ଷୀୟ ଅଭିଯୁକ୍ତ କାମରାନ ଏବେ ଉତ୍ତର ପ୍ରଦେଶ ପୋଲିସର ଏସଟିଏଫ କବଜାରେ। ପୋଲିସ ତାଙ୍କୁ ଜେରା କରୁଛି। ଜେରା ସମୟରେ ସେ କହିଛି,  ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେବା ବଦଳରେ ଏକ କୋଟି ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ସୂଚନା ଅନୁଯାୟୀ ୟୁପି ପୋଲିସ୍‌ର ୧୧୨ ମୁଖ୍ୟାଳୟରେ ଗୁରୁବାର ବିଳମ୍ବିତ ରାତ୍ରିରେ ପ୍ରାୟ ୧୨ଟା ୩୦ରେ ଏକ ହ୍ଵାଟ୍ସଆପ ମେସେଜ୍ ଆସିଥିଲା। ଏହି ମେସେଜ୍‌ଟି ସାମାଜିକ ଗଣମାଧ୍ୟମର ଡେସ୍କ ନମ୍ଵର ୭୫୭୦୦୦୦୧୦୦ରେ ଆସିଥିଲା। ମେସେଜ୍‌ରେ ଲେଖା ହୋଇଥିଲା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବମ୍‌ରେ ଉଡାଇବାକୁ ଯାଉଛି। ଏହି ମେସେଜ୍‌ ଆସିବା ପରେ ଉଚ୍ଚ ଅଧିକାରୀଙ୍କୁ ଏହାର ସୂଚନା ଦିଆଯାଇଥିଲା। ଏହା ପରେ ଗୋମତୀ ନଗର ଥାନାରେ ଧାରା ୫୦୫(1) ବି, ୫୦୬ ଓ ୫୦୭ ଆଧାରରେ କେସ୍ ରୁଜୁ ହୋଇଥିଲା।

ଗିରଫଦାରୀ ପରେ ପୁଣି ଥରେ ଧମକ

କାମରାନକୁ ରବିବାର ମୁମ୍ବାଇରୁ ଗିରଫ କରାଯାଇ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଏହା ପରେ ଟ୍ରାଜିଣ୍ଟ ରିମାଣ୍ଡରେ ପଠାଇ ୟୁପି ଏସଟିଏଫକୁ ହସ୍ତାନ୍ତର କରାଯାଇଛି। କାମରାନର ଗିରଫଦାରୀ ପରେ ଏବେ ପୋଲିସକୁ ଧମକଭରା କଲ୍ ଆସିଛି। ମହାରାଷ୍ଟ୍ର ଏଟିଏସ କହିଛି, ଧମକଭରା କଲ୍‌ ଲକ୍ଷ୍ନୌ ପୋଲିସ୍‌ର ସ୍ପେଶାଲ ମିଡିଆ ଡେସ୍କରୁ ଆସିଛି। ଏହି କଲ୍‌ରେ କୁହାଯାଇଛି, କାମରାନକୁ ଛାଡି ଦିଅ, ନହେଲେ ପରିଣାମ ଭୋଗିବାକୁ ପଡିବ।

ଦ୍ଵିତୀୟ ଧମକ ମିଳିବା ପରେ ମହାରାଷ୍ଟ୍ର ଏଟିଏସକୁ ଏହାର ସୂଚନା ଦିଆଯାଇଛି। ଏହା ପରେ ଏଟିଏସର ନାସିକ ୟୁନିଟ୍ ଖୋଳତାଡ କରି ୨୦ ବର୍ଷୀୟ ଏକ ଯୁବକକୁ ନାସିକର ଭଦ୍ରକାଳୀ ଇଲାକାରୁ ଗିରଫ କରାଯାଇଛି। କାମରାନ ସହିତ ଏହି ଯୁବକର ସଂପର୍କ ନେଇ ପୋଲିସ ଯାଞ୍ଚ କରୁଛି। ୟୁପି ପୋଲିସ୍ ବ୍ୟତୀତ ମହାରାଷ୍ଟ୍ର ପୋଲିସ୍ ମଧ୍ୟ ଏହି ଘଟଣାର ତଦନ୍ତରେ ଜୁଟି ଯାଇଛି। ଧମକ ଦେବା ପଛର ପ୍ରକୃତ କାରଣ ଖୋଜା ଚାଲିଛି।

କିଏ ଏହି କାମରାନ ଖାନ ?

ମୁମ୍ବାଇ ଏଟିଏସ ଦ୍ଵାରା ଗିରଫ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଥିବା ଯୁବକର ନାମ କାମରାନ ଖାନ। ସେ ମୁମ୍ବାଇର ବାସିନ୍ଦା। ଝାଭେରି ବଜାରରୁ ସିକ୍ୟୁରିଟି ଗାର୍ଡର ଚାକିରି କରୁଥିବା କାମରାନର ୨୦୧୭ରେ ସ୍ପାଇନ୍‌ ଟିବିର ଅପରେସନ ହୋଇଥିଲା। ଏହା ପରେ ସେ ଚାକିରି ଛାଡି ଦେଇଥିଲା। ସଂପ୍ରତି ସେ କିଛି କାମ କରୁନଥିଲା। କାମରାନର ପରିବାରରେ ମା, ଭଉଣୀ ଓ ଭାଇ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.