ଆମେରିକାରେ ଘୁଷୁରି କିଡନୀ ଲଗାଇଥିବା ବ୍ୟକ୍ତିଙ୍କ ୨ ମାସ ପରେ ମୃତ୍ୟୁ, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର?

Published By : Prameya-News7 Bureau | May 12, 2024 IST

ୱେଷ୍ଟଏଣ୍ଡ ୧୨।୫: ଘୁଷୁରି କିଡନୀ ପ୍ରତିରୋପଣ କରାଇଥିବା ପ୍ରଥମ ବ୍ୟକ୍ତିଙ୍କର ଏହି ପ୍ରକ୍ରିୟାରେ ୨ ମାସ ପରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଜନ ଓ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରିଚାର୍ଡ ରିକ୍ ସ୍ଲେମ୍ୟାନ ନାମକ ଏହି ବ୍ୟକ୍ତି ଗତ ମାର୍ଚ୍ଚ ମାସରେ  ମାସାଚ୍ୟୁସେଟ୍ ଜେନେରାଲ ହସ୍ପିଟାଲରେ ତାଙ୍କ ବୃକକ ପ୍ରତିରୋପଣ କରାଇଥିଲେ। ସେତେବେଳେ ଡାକ୍ତରମାନେ କହିଥିଲେ ଯେ ବୃକକ ଅନୁନ୍ୟ ୨ ବର୍ଷ ପର୍ଯ୍ୟନ୍ତ ଭଲରେ କାମ କରିବ। 

ଏବେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରୀ ଟିମ କହିଛନ୍ତି ଯେ ଟ୍ରାନ୍ସପ୍ଲାଣ୍ଟ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ରୂପେ କୁହାଯାଇ ପାରିବନି। ରିଚାର୍ଡ ଦୀର୍ଘ ସମୟରୁ ଡାୟବେଟିଜ୍‌ରେ ଆକ୍ରାନ୍ତ ଥିଲେ, ଯେଉଁଥି ପାଇଁ ତାଙ୍କ ବୃକକ ଖରାପ ହୋଇଯାଇଥିଲା। ପାଖାପାଖି ୭ ବର୍ଷ ପର୍ଯ୍ୟନ୍ତ ଡାୟଲେସିସ୍‌ରେ ରହିବା ପରେ ୨୦୧୮ରେ ମାସାଚ୍ୟୁସେଟ୍ ଜେନେରାଲ ହସ୍ପିଟାଲରେ ତାଙ୍କର ପ୍ରଥମ କିଡନୀ ଟ୍ରାନ୍ଲପ୍ଲାଣ୍ଟ ହୋଇଥିଲା। ତେବେ ୫ ବର୍ଷ ମଧ୍ୟରେ ତାହା ମଧ୍ୟ ଫେଲ ହୋଇଯାଇଥିଲା। ଏଣୁ ଡାକ୍ତରମାନେ ତାଙ୍କଠାରେ ପ୍ରଥମ କରି ପରୀକ୍ଷାମୂଳକ ଭାବେ ଘୁଷୁରି ବୃକକ ପ୍ରତିରୋପଣ କରିଥିଲେ। 

ରିଚାର୍ଡଙ୍କ ଠାରେ ଯେଉଁ କିଡନୀ ଲଗା ଯାଇଥିଲା ତାକୁ ମାସାଚ୍ୟୁସେଟର ଇ ଜେନେସିସ୍ ଅଫ କେମ୍ବ୍ରିଜ୍ କେନ୍ଦ୍ରରେ ତିଆରି କରାଯାଇଥିଲା। ଡାକ୍ତରମାନେ ଘୁଷୁରିର ସେହି ଜିନକୁ ବାହାର କରିଦେଇଥିଲେ ଯାହା ଦ୍ୱାରା ମଣିଷର କିଛି କ୍ଷତି ହୋଇଥାନ୍ତା। ସାଙ୍ଗକୁ ସେଥିରେ ମଣିଷଙ୍କର ବି କିଛି ଜିନ୍‌ ଯୋଡା ଯାଇଥିଲା। ଫଳରେ କିଡନୀର କ୍ଷମତା ବୃଦ୍ଧି ହୋଇଥିଲା। ଇ ଜେନେସିସ୍ କମ୍ପାନୀ ଘୁଷୁରିର ସେହି ଭାଇରସକୁ ବି ଡିଆକ୍ଟିଭେଟ କରିଦେଇଥିଲେ ଯାହା ଦ୍ୱାରା ସଂକ୍ରମଣ ହେବାର କୌଣସି ଭୟ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.