ନୂଆପଡ଼ା: ଏମିତି ବି ଆସେ ମୃତ୍ୟୁ। କବାଡ଼ି ଖେଳୁ ଖେଳୁ ଟଳି ପଡ଼ିଲେ ଖେଳାଳି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୂଆପଡ଼ା କୋମନା ଥାନା ତରବୋଡ଼ରେ । ମୃତକ ଛତିଶଗଡ଼ର ସରେଇପାଲି ଥାନା ବରିହାପାଲିର ଡ଼ୁମଡ଼ୁମ ଛୁଆଁ ଗ୍ରାମର ଖିଳେଶ ରାଠିଆ।
ସୂଚନା ଅନୁଯାୟୀ, ସ୍ଥାନୀୟ ତରବୋଡ଼ ଠାରେ ଦୁର୍ଗା ପୂଜା କମିଟି ପକ୍ଷରୁ ଆନ୍ତଃ ରାଜ୍ୟ କବାଡ଼ି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଯେଉଁଥିରେ ଭାଗ ନେଇଥିଲା ପିଥୋଡ଼ା ପୋଟାପଡ଼ା ଦଳ । ଆଉ ଏହି ଦଳରୁ ଖେଳୁଥିଲେ ଖିଳେଶ । ତେବେ ସୋମବାର ଟୁର୍ନାମେଣ୍ଟରେ ସ୍ଥାନୀୟ ହାତୀସରା ଦଳ ସହ ପିଥୋଡ଼ା ଦଳର ଥିଲା ଫାଇନାଲ ମ୍ୟାଚ। ଆଉ ମ୍ୟାଚ୍ ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ତେବେ ଖେଳ ବନ୍ଦ କରିବା ସହ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ତରବୋଡ଼ ଓ ପରେ ନୂଆପଡ଼ା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ହୃଦଘାତ ହୋଇଥିବା ନେଇ ସନ୍ଦେହ କରାଯାଉଛି।