ପ୍ରେମ ପାଇଁ ଚୋରି : ୧୫ଦିନ ମଧ୍ୟରେ ୧୨ଟି ବାଇକ୍ ଚୋରି କଲା ଯୁବକ, ଚୋରା ବାଇକ୍ ବିକି ଗାର୍ଲଫ୍ରେଣ୍ଡକୁ କରାଉଥିଲା ଖୁସି

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨/୭: ଗୋଟିଏ ପଟେ ଦିଲ୍ଲୀ ସମେତ ପୂରା ଦେଶ କରୋନା ସଙ୍କଟ ଭୋଗୁଥିବାବେଳେ ଅନ୍ୟପଟେ ଲୋକ ନିଜ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଜୋରସୋରରେ ଚୋରି କରିବାକୁ ପଛାଉ ନାହାନ୍ତି। ଦିଲ୍ଲୀରେ ଜଣେ ବ୍ୟକ୍ତି ନିଜ ପ୍ରେମିକା ପାଇଁ ୧୨ଟି ବାଇକ୍ ଚୋରି କରିଛି।

ଘଟଣାଟି ହେଉଛି ପୂର୍ବ ଦିଲ୍ଲୀର ପଟପଡ଼ଗଞ୍ଜ ଅଞ୍ଚଳର। ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ବୁଲାଇବା ଚକ୍କରରେ ଚୋର ହୋଇ ଯାଇଛି ଏବଂ ମାତ୍ର ୧୫ଦିନ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ଟି ବାଇକ୍ ଚୋରି କରିଛି। ପୋଲିସ୍ ସମସ୍ତ ବାଇକ୍ ଜବତ କରିଛି ଏବଂ ଏହି ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୂର୍ବ ଦିଲ୍ଲୀର ପଟପଡ଼ଗଞ୍ଜ ପୋଲିସ୍ ଏପରି ଚୋରକୁ ଧରିଛି ଯିଏ ନିଜ ପ୍ରେମିକାକୁ ଚୋରି ବାଇକରେ ବୁଲାଉଥିଲା ଏବଂ ପରେ ସେହି ବାଇକକୁ ବିକ୍ରି କରି ଅନ୍ୟ ବାଇକ୍ ଚୋରି କରି ସେଥିରେ ବୁଲାଉଥିଲା।

 ବାଇକ୍ ଚୋର ପ୍ରଦୀପ ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ମାତ୍ର ୧୫ଦିନ ମଧ୍ୟରେ ୧୨ଟି ବାଇକ୍ ଚୋରି କରିଥିଲା। ଚୋରି କଥା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ଗାଜିପୁର ପାକେଟରେ ଚେକିଂ ସମୟରେ ଧରା ପଡ଼ିଥିବା ପ୍ରଦୀପକୁ ଗାଡ଼ିର କାଗଜପତ୍ର ମଗାଯାଇଥିଲା କିନ୍ତୁ ସେ ପେପର ଦେଖାଇବା ପରିବର୍ତେ ପୋଲିସକୁ ନିଜ କଥାରେ ପଥଭ୍ରଷ୍ଟ କରିବାକୁ ଉଦ୍ୟମ କରିଥିଲା।

ପୋଲିସ ଅଧିକ ପଚରାଉଚୁରା କରିବାରୁ ଘଟଣା ଜଣା ପଡ଼ିଥିଲା। ପ୍ରଦୀପ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ମଣ୍ଡାବଳୀ,ମଧୁ ବିହାର ଏବଂ ଗାଜିପୁର ଅଞ୍ଚଳରୁ ବାଇକ୍ ଚୋରି କରୁଥିଲା ଏବଂ ନିଜ ପ୍ରେମିକାକୁ ନୂଆ ବାଇକରେ ବୁଲାଇ ତାକୁ ଖୁସି କରୁଥିଲା।

ବାଇକ୍ ବ୍ୟବହାର କରିବା ପରେ ସେହି ବାଇକକୁ ବିକି ଦେଉଥିଲା ଏବଂ ସେଥିରୁ ମିଳୁଥିବା ଟଙ୍କାରେ ନିଜ ପ୍ରେମିକାକୁ ନେଇ ମଲରେ ଶପିଂ କରାଉଥିଲା ଏବଂ ପାର୍ଟି ମଧ୍ୟ କରୁଥିଲା।

ପରେ ସବୁ କଥା ଜଣା ପଡ଼ିବା ପରେ ଚୋରି ହୋଇଥିବା ୧୦ଟି ବାଇକ ସହ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.