ପ୍ରେମିକାକୁ ପିଟିବା ଘଟଣା; ଗିରଫ ହେବା ସହ ବୁଲ୍‌ଡୋଜର ଚଢ଼ାଇ ଘର ଭାଙ୍ଗିଦେଲା ପ୍ରଶାସନ

Published By : Prameya-News7 Bureau | December 25, 2022 IST

ରିୱା: ମଧ୍ୟପ୍ରଦେଶ ରିୱାରେ ୨୪ ବର୍ଷୀୟ ପଙ୍କଜ ତ୍ରିପାଠୀ ପ୍ରେମିକା ନିର୍ଦ୍ଦୟ ଭାବେ ପିଟିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୋଷୀକୁ ଗିରଫ କରିବା ସହ ବୁଲ୍‌ଡୋଜର ଚଢାଇ ତା ଘର ଭାଙ୍ଗି ଦିଆଯାଇଛି।

୨୯ ବର୍ଷୀୟା ପ୍ରେମିକାକୁ ନିର୍ଦ୍ଦୟୀ ଭାବେ ପିଟିବା ପରେ ଶନିବାର ଉତ୍ତର ପ୍ରଦେଶର ମିର୍ଜାପୁରରୁ ପଙ୍କଜକୁ ଗିରଫ କରିଥିଲା ପୁଲିସ। ମାରପିଟ ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏଥିରେ ପଙ୍କଜ ଯୁବତୀଙ୍କୁ ଚୁଟି ଘୋସାରି ପିଟିବା ସହ ମୁହଁରେ ପେଟରେ ଲାତ ମାରୁଥିବାର ଦେଖାଯାଉଛି।

ଏହି ଘଟଣାରେ ଆଜି ଜିଲ୍ଲା ପ୍ରଶାସନ ବିପୁଳ ପୁଲିସ ମୁତୟନ କରି ବୁଲଡୋଜର ଚଢ଼ାଇ ପଙ୍କଜର ଘର ଭାଙ୍ଗି ଦେଇଛି। ନିଜେ ଡ୍ରାଇଭିଂ କରି ପେଟ ପୋଷୁଥିବା ପଙ୍କଜର ଲାଇସେନ୍ସ ମଧ୍ୟ କ୍ୟାନସଲ କରିଦିଆଯାଇଛି। ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ କରିବାରୁ ସ୍ଥାନୀୟ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ପ୍ରେମିକଙ୍କୁ ବିବାହ କରିବାକୁ କହିବାରୁ ଉଭୟ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏହାପରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା। ଭିଡିଓରେ ଯୁବତୀ ଜଣଙ୍କ ପ୍ରେମିକକୁ ବିବାହ କରିବାକୁ ଅନୁରୋଧ କରୁଥିବାର ମଧ୍ୟ ଦେଖାଯାଉଛି। ଏତିକିରେ ପଙ୍କଜ ରାଗିଯାଇ ଯୁବତୀଙ୍କ ମୁହଁକୁ ଚାପୁଡ଼ା ଗୋଇଠା ମାରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।    

ଏହି ଘଟଣାରେ ପରେ ଅଭିଯୁକ୍ତକୁ ଆଇପିସିର ଶାନ୍ତି ଭଙ୍ଗ ଅଭିଯୋଗ ୧୫୧ ଧାରାରେ ଗିରଫ କରାଯାଇଛି। ତେବେ ଝିଅଟି ତା ବିରୋଧରେ କୌଣସି ଅଭିଯୋଗ କରିବାକୁ ମନା କରିବାରୁ ଅଭିଯୁକ୍ତ ପଙ୍କଜକୁ ଛାଡ଼ି ଦିଆଯାଇଛି। ତଥାପି ପୁଲିସ ପକ୍ଷରୁ ଅଭିଯୁକ୍ତ ବିରୋଧରେ ଜାଣିଶୁଣି କାହାକୁ ଆଘାତ ପହଞ୍ଚାଇବାରେ ଧାରା ୩୨୩ ମାମଲା ରୁଜୁ କରିଛି।

ଏଥିସହିତ ଯେଉଁ ବ୍ୟକ୍ତି ଭିଡିଓ ଉଠାଇ ଏହାକୁ ଭାଇରାଲ୍ କରିଛନ୍ତି ତାଙ୍କ ବିରୋଧରେ ଯୁବତୀ ଜଣଙ୍କ ମାମାଲ କରିଛନ୍ତି। ଫଳରେ ଭାଇରାଲ୍ କରିଥିବା ବ୍ୟକ୍ତି ବିରୋଧରେ ଆଇଟି ଆକ୍ଟର ଧାରା ଲଗାଇ ତାକୁ ଖୋଜୁଛି ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.