ଗହଣା ଦୋକାନୀଙ୍କ ପତ୍ନୀଙ୍କୁ ଚୂନ ଲଗାଇଲେ ଭଣ୍ଡ ସାଧୁ ; ଘରେ ପଶି ଲୁଟିନେଲେ ୧.୭୫ କୋଟି ଟଙ୍କା ଓ ସୁନା ଗହଣା

Published By : Prameya-News7 Bureau | July 12, 2021 IST

ଋଷିକେଶ ୧୨/୦୭ : ସାଧୁଙ୍କ କଳା କାରନାମା ଏବେ ଚର୍ଚ୍ଚାରେ । ସାଧୁ ନୁହେଁ ତ ଟାଉଟର । ଆଖି ପିଛୁଳାକେ ଜଣେ ଗହଣା ଦୋକାନୀଙ୍କ ପତ୍ନୀଙ୍କ ଠାରୁ କଳାକନା ବୁଲାଇ ଦେଇଛି ଜଣେ ଭଣ୍ଡ ସାଧୁ । ପ୍ରାୟ ୧.୭୫ କୋଟି ମୂଲ୍ୟର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ଘଟଣା ବାବଦରେ ଥାନାରେ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ଭଣ୍ଡ ସାଧୁକୁ ଲାଲ ଟପ୍ପର ଅଞ୍ଚଳ କଟେଜ୍‌ ନମ୍ବର ୨୧ରୁ ଗତ ରବିବାର ଦିନ ଗିରଫ କରିଛି ପୋଲିସ ।

ଗିରଫ ଭଣ୍ଡ ସାଧୁ ଜଣକ ହେଉଛି ପ୍ରିୟବ୍ରତ ଅନିମେଶ । ତା ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଏବଂ ରୂପା ଗହଣା ଜବତ କରାଯାଇଛି । ଏ ନେଇ ଋଷିକେଶ ଡିଏସ୍‌ପି ଦିନେଶ ଚନ୍ଦ୍ର ଧନୁଦିୟାଲ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ପୋଲିସ କହିବା ମୁତାବକ, ଅଭିଯୁକ୍ତ ସାଧୁ ପ୍ରିୟବ୍ରତ ଅନିମେଶର ନିକଟରେ ଏକ ପୁସ୍ତକ ମଧ୍ୟ ଉନ୍ଚୋଚନ ହୋଇଥିଲା । ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ସୂଚନା ମୁତାବକ, ଋଷିକେଶର ଜଣେ ଗହଣା ବ୍ୟବସାୟୀ ହିତେନ୍ଦ୍ର ପନଓ୍ବର ଚୋରି ହେବା ନେଇ ଥାନାରେ ମାମଲା ରୁଜୁ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ସାଧୁ ପ୍ରିୟବ୍ରତ ଅନିମେଶକୁ ଗିରଫ କରିଥିଲା । ତଦନ୍ତ ବେଳେ ତା ନିକଟରୁ ବିପୁଳ ପରିମାଣର ସୁନାଗହଣା ଏବଂ ଟଙ୍କା ଜବତ କରିଛି ପୋଲିସ । ଏହା ସହିତ ପୋଲିସ କହିଛି ଯେ, ହିତେନ୍ଦ୍ରଙ୍କ ପତ୍ନୀ ଜଣେ ମାନସିକ ରୋଗୀ । ଅଭିଯୁକ୍ତ ସାଧୁ କୌଶଳ କ୍ରମେ ତାଙ୍କ ସହ କଥା ବାର୍ତ୍ତା କରିବା ସହିତ ଦେହ ଖରାପ ବାହାନା କରି ତାଙ୍କ ଠାରୁ କିଛି ଟଙ୍କା ଆଦାୟକ କରିବା ପାଇଁ ଘର ଭିତରକୁ ପଶିଥିଲେ । ତେବେ ଘରେ କେହି ନଥିବା ଜାଣିବା ପରେ ଏବଂ ହିତେନ୍ଦ୍ରଙ୍କ ପତ୍ନୀ ଜଣେ ମାନସିକ ରୋଗୀ ଜାଣିବା ପରେ ଲୁଟ କରିବା ପାଇଁ ସୁଯୋଗ ପାଇଯାଇଥିଲେ ଅଭିଯୁକ୍ତ । ପରେ ଘରୁ କଳାକନା ବୁଲାଇ ଥିଲେ ।

ଅଭିଯୁକ୍ତ ଜଣକ ନିଜ ପତିଆରା ପାଇଁ ରାଜନୈତିକ ବ୍ୟକ୍ତି ବିଶେଷ ତଥା ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଫଟୋ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରୁଥିଲା । ଯାହା ଫଳରେ ଲୋକମାନଙ୍କର ଆସ୍ଥା ବଢିଥିଲା । ଏହାର ସୁଯୋଗ ନେଇ ସେ ଲୋକମାନଙ୍କୁ ବିଭିନ୍ନ ଉପାୟରେ ଲୁଟୁଥିଲା । ଅଭିଯୁକ୍ତ ସାଧୁ ବିରୁଦ୍ଧରେ ପୂର୍ବରୁ ମଧ୍ୟ ମାମଲା ରହିଛି । ହରିୟାଣାର କର୍ଣ୍ଣାଲ ଅଞ୍ଚଳରେ ଅଭିଯୁକ୍ତ ସାଧୁ ପ୍ରିୟବ୍ରତ ଅନିମେଶ ନାଁରେ ଅନେକ ମାମଲା ରହିଛି । ପୂର୍ବରୁ ସେ ଦୁଇ ଦୁଇଥର ଜେଲ ମଧ୍ୟ ଯାଇଛି । ପୋଲିସ ତାକୁ ଗିରଫ କରିବା ସହିତ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.