ବିମାନରେ ପୁଣି ସହ ଯାତ୍ରୀଙ୍କ ଉପରେ ପରିସ୍ରା, ଅବତରଣ ପରେ ଅଭିଯୁକ୍ତକୁ ହେପାଜତକୁ ନେଲା ପୋଲିସ୍‌

Published By : Prameya-News7 Bureau | April 24, 2023 IST

ନୂଆଦିଲ୍ଲୀ, ୨୪/୦୪: ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ବନ୍ଦ ହେଉନାହିଁ। ଏବେ ଆମେରିକାନ ଏୟାରଲାଇନ୍ସର ଏକ ବିମାନ​‌ରେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଜଣେ ଭାରତୀୟ ବ୍ୟକ୍ତି ବିମାନରେ ସହ ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ତେବେ ତାଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଞ୍ଚିବା ପରେ ସିଆଇଏସଏଫ୍‌ ଗିରଫ କରିଥିଲା। ଏହା ପରେ ପୋଲିସ୍‌ ହେପାଜତକୁ ନେଇଛି।

ବିମାନ କର୍ମଚାରୀଙ୍କ ଅନୁଯାୟୀ ଅଭିଯୁକ୍ତ ଭାରତୀୟ ଯାତ୍ରୀ ମଦ ନିଶାରେ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଆଉ ବଚସା ମଧ୍ୟରେ ନିଜ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ତେବେ ବିମାନ କମ୍ପାନୀ ସହ ଯାତ୍ରୀଙ୍କ ବୟାନ ରେକର୍ଡ କରିବା ପରେ ଉଭୟଙ୍କୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା। ମାମଲାରେ ଡିଜିସିଏ କହିଛି ଏୟାର ଲାଇନ୍‌ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ଏହି ମାମଲାରେ ଏକ ଏଫଆଇଆର ରୁଜୁ ହୋଇଛି। ତେବେ ଘଟଣାରେ କୌଣସି ଠୋସ୍‌ ପ୍ରମାଣ ଏପର୍ଯ୍ୟନ୍ତ ମିଳିନଥିବା କହିଛି ଦିଲ୍ଲୀ ପୋଲିସ୍‌।

ଘଟଣା ଆମେରିକାନ ଏୟାରଲାଇନ୍ସର ବିବାମନ AA 292 ରେ ଘଟିଥିଲା। ରବିବାର ରାତି ପ୍ରାୟ ୯ ଟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ସିଆଇଏସଏଫ ଗିରଫ କରିଥିଲା। ଏହାପରେ ସିଆଇଏସଏଫ ଉଭୟ ଯାତ୍ରୀଙ୍କୁ ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି। ପୀଡ଼ିତ ଯାତ୍ରୀ ଔପଚାରିକ ଅଭିଯୋଗ ରୁଜୁ କରାଇଛନ୍ତି।

ସୂଚନାଥାଉ, ଗତ କିଛି ମାସରେ ଏହା ଏପରି ତୃତୀୟ ଖବର। ଗତ ବର୍ଷ ୨୬ ନଭେମ୍ବରରେ ଏୟାର ଇଣ୍ଡିଆର ଏକ ବିମାନରେ ଏଭଳି ଘଟଣା ଘଟିଥିଲ। ସେହି ସମୟରେ ନିଶାରେ ଜଣେ ବ୍ୟକ୍ତି ନ୍ୟୁୟର୍କ ଦିଲ୍ଲୀ ବିମାନରେ ବିଜନେସ କ୍ଲାସରେ ଜଣେ ୭୦ ବର୍ଷୀୟ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ଏହାପରେ ୨ ଡିସେମ୍ବର ୨୦୨୨ ରେ ମଧ୍ୟ ଏୟାର ଇଣ୍ଡିଆର ପ୍ୟାରିସ୍‌-ନୂଆଦିଲ୍ଳୀ ବିମାନ ଉଡ଼ାଣରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ସେତେ​‌ବେଳେ​‌ ଜଣେ ବ୍ୟକ୍ତି ଏକ ଖାଲି ସିଟ୍‌ରେ ଏବଂ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଦେଇଥିଲେ। ଅବଶ୍ୟ ଘଟଣା ସମୟରେ ମହିଳା ସେଠାରେ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.