ନଦୀରେ ମାଛ ମାରିବା ହେଲା କାଳ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

Published By : Prameya-News7 Bureau | October 04, 2021 IST

ଦେବଗଡ,୦୪/୧୦: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ମାଛ ମାରିବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡଅଁରା ଗ୍ରାମର ୨୨ ବର୍ଷ ବୟସ୍କ ସୁକାନ୍ତ ଧୀବର। ସୋମବାର ଅପରାହ୍ନରେ ସୁକାନ୍ତ ଓ ଅନ୍ୟ ଜଣେ ଯୁବକ ଏକ ଛୋଟ ଡଙ୍ଗାରେ ବ୍ରାହ୍ମଣୀ ନଦୀରେ ମାଛ ମାରିବାକୁ ଯାଇଥିଲେ । ଅନ୍ୟ ଯୁବକ ଡଙ୍ଗା ବାହୁଥିବା ବେଳେ ସୁକାନ୍ତ ଜାଲ ପକାଉଥିଲେ ।

ହଠାତ୍ ସୁକାନ୍ତ ନଦୀ ଉପରେ ଯାଇଥିବା ୧୧ କେଭି ଲାଇନ ତାର ସଂସ୍ପର୍ଶରେ ଆସି ନଦୀ ମଧ୍ୟକୁ ଛିଟିକି ପଡିଥିଲେ। ସାଙ୍ଗରେ ଥିବା ମତ୍ସ୍ଯଜୀବୀ ନଦୀ କୂଳକୁ ଯାଇ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନଦୀ ମଧ୍ୟରୁ ମୃତ ଦେହ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଙ୍ଗାଳି ବହୁମୂଖୀ ନଦୀବନ୍ଧରେ ବର୍ତ୍ତମାନ ଜଳ ଉଚ୍ଚ ସ୍ତରରେ ପହଞ୍ଚି ଥିବା ବେଳେ ବାରକୋଟରୁ ଡଅଁରା ଗ୍ରାମକୁ ଯାଇଥିବା ୧୧ କେଭି ତାରର ଉଚ୍ଚତା କମିଯିବାରୁ ଏହି ଅଘଟଣ ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.