ମୃତ ପ୍ରେମିକାଙ୍କୁ ବିବାହ କଲେ ପ୍ରେମିକ, ସାରାଜୀବନ ଏକା ରହିବାକୁ ନେଲେ ଶପଥ, ଦେଲେ ପ୍ରକୃତ ଭଲ ପାଇବାର ଉଦାହରଣ

Published By : Prameya-News7 Bureau | November 21, 2022 IST

ମୋଇରାଗାଓଁ: ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସୁଛି ଯେଉଁଠାରେ ପ୍ରେମିକ ପ୍ରେମିକାକୁ ହତ୍ୟା କରୁଛି। କୋଉଠି ପ୍ରେମିକ ନିଜ ପ୍ରେମିକାକୁ ହତ୍ୟାକରୁଛି ତ ଆଉ କେଉଁଠି  ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗୁଛି। ଏଭଳି ଅନେକ  ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଯାହା ପ୍ରକୃତ ପ୍ରେମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିନ୍ତୁ ଆଜିବି ପ୍ରକୃତ ବଞ୍ଚିଛି, ଯାହାର ନିଚ୍ଛକ ଘଟଣା ସାମ୍ନାକୁ ଆସିଛି। ଶୁଣିଲେ ଆପଣ ପୁଣିଥରେ ଭାବିବାକୁ ବାଧ୍ୟ ହେବେ ଯେ ବର୍ତ୍ତମାନ ସମୟରେ ପ୍ରକୃତ ପ୍ରେମ ବଞ୍ଚିଛି। ଉଭୟଙ୍କ ପ୍ରେମ ବିବାହଣ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ନିଜ ପ୍ରେମିକାକୁ ବିବାହ କରୁଛନ୍ତି। ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ ? ପ୍ରକୃତରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବିବାହ କରୁଛନ୍ତି ସତ, କିନ୍ତୁ ତାଙ୍କ ପ୍ରେମିକା ଏହାକୁ ଦେଖିପାରିବେ ନାହିଁ। କାରଣ ସେ ଶୋଇଯାଇଛନ୍ତି ଚିରନିଦ୍ରାରେ । ପ୍ରକୃତରେ ଜଣେ ଏହି ଯୁବକ ନିଜ ମୃତ ପ୍ରେମିକାଙ୍କ ମୃତଦେହ ସହ ବିବାହ କରିଛନ୍ତି। ଏକ ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ତାଙ୍କ ପ୍ରେମିକା । ଆଉ ତାଙ୍କୁ ଜୀବନ ଦେଇ ଭଲ ପାଉଥିବା ତାଙ୍କ ପ୍ରେମିକ କିନ୍ତୁ ତାଙ୍କୁ ଦେଇଥିବା କଥା ରଖିଛନ୍ତି । ଆଉ ମୃତ୍ୟୁ ପରେ ପ୍ରେମିକାଙ୍କ ମୃତଦେହକୁ ସିନ୍ଦୂର ପିନ୍ଧାଇ ବିବାହ କରିଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଆସାମର ମୋଇରାଗାଓଁରୁ। ଭିଡିଓରେ ଥିବା ଯୁବକଙ୍କ ନାଁ ହେଉଛି ବିଟୁପନ ଏବଂ ମୃତ ଯୁବତୀ ହେଉଛି ପ୍ରାର୍ଥନା। ବିଟୁପନ ତାଙ୍କ ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ, ମାଳ ପକାଇ ବିବାହ କରିଛନ୍ତି।

ସୂଚନା ଅନୁଯାୟୀ, ବିଟୁପନ ଏବଂ ପ୍ରାର୍ଥନା ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ବହୁତ ନିବିଡ ଥିଲା। କଥା ଦେଇଥିଲେ ଜୀବନ ସାଥୀ ହୋଇ ରହିବାକୁ। ବିବାହ ପାଇଁ ମଧ୍ୟ ଦେଖିଥିଲେ ସ୍ବପ୍ନ। ହେଲେ ବୋଧହୁଏ ବିଧାତାର ହୁଏତ କିଛି ଭିନ୍ନ ଯୋଜନା ଥିଲା। ବିବାହର କିଛି ଦିନ ପୂର୍ବରୁ ଜଣାପଡ଼ିଥିଲା ଯେ ପ୍ରାର୍ଥନା ଏକ ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି। ଆଉ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାର୍ଥନାଙ୍କ ମୃତ୍ୟୁ ପରେ ସତେ ଯେପରି କଳାବାଦାଲ ଘୋଟିଆସିଥିଲା ବିଟୁପନଙ୍କ ଜୀବନରେ। ତଥାପି ସେ ଧୈର୍ଯ୍ୟ ହରାଇନଥିଲେ। ଆଉ ପ୍ରାର୍ଥନାଙ୍କୁ ଦେଇଥିବା କଥା ରଖିଥିଲେ ବିଟୁପନ, ଆଉ ତାଙ୍କୁ ହିଁ ବିବାହ କରିଥିଲେ।

ଖାଲି ସେତିକି ନୁହେଁ ସେ ଆଉ ଶପଥ ନେଇଥିଲେ ଯେ ପ୍ରାର୍ଥନାଙ୍କ ସ୍ମୃତିରେ ସାରା ଜୀବନ ଏକାକୀ ବିତାଇବେ। ଅନ୍ୟ କେହି ଝିଅକୁ ବିବାହ କରିବେନି। ସବୁଠୁ ଆଶ୍ଚର୍ଯ୍ୟର କଥା  ପ୍ରାର୍ଥନାଙ୍କ ମରଶରୀର ସହ ବିବାହକୁ ଉଭୟଙ୍କ ପରିବାର ଲୋକେ ବିରୋଧ କରିନଥିଲେ। ସେପଟେ ଏହି କାହାଣୀକୁ ଶୁଣି ଅନେକ ଭାବବିହ୍ବଳ ହୋଇଛନ୍ତି। ଆଉ କହିଛନ୍ତି ଭଲ ପାଇବା ହେବ ତ’ ଏମିତି....।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.