ବ୍ୟାଙ୍କ୍‌ରୁ ୧୨ କୋଟି ଲୁଟ୍‌ କରି ବେଶ ବଦଳାଇ ବୁଲୁଥିଲା ଚୋର, ଅଢ଼େଇ ମାସ ପରେ ଧରିଲା ପୋଲିସ୍‌

Published By : Prameya-News7 Bureau | October 05, 2022 IST

ମୁମ୍ୱାଇ, ୦୫/୧୦: ଅଢ଼େଇ ମାସ ପରେ ଧରାପଡ଼ିଲା ବ୍ୟାଙ୍କ୍‌ରୁ ୧୨ କୋଟି ଟଙ୍କା ଲୁଟ୍‌ କରିଥିବା ଚୋର । ଥାନେର ମନପଡା ଅଞ୍ଚଳରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଏତେ ବଡ଼ ବ୍ୟାଙ୍କ୍‌ ଚୋରି ହୋଇଥିଲା । ଯାହାର ଟେର୍‌ ପାଇନଥିଲେ ବ୍ୟାଙ୍କ୍‌ କତ୍ତୃପକ୍ଷ । ବୁଧବାର ଏହି ଚୋରକୁ ଗିରଫ କରାଯାଇଥିବା ବେଳେ ତା ଠାରୁ ୯ କୋଟି ଟଙ୍କା ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତର ନାମ ଅଲତାଫ୍‌ ସେଇଖ୍‌ (୪୩) । ମହାରାଷ୍ଟ୍ରର ମୁମ୍ୱ୍ରାର ସେଇଖ୍‌ ଆଇସିଆଇସିଆଇ ବ୍ୟାଙ୍କ୍‌ରେ କଷ୍ଟୋଡିଆନ୍‌ ବା ରକ୍ଷକ ଭାବେ କାର୍ଯ୍ୟ କରୁଥିଲା । ଏଥିସହିତ ସେ ବ୍ୟାଙ୍କ୍‌ ଲକରର ଚାବି ମଧ୍ୟ ରଖୁଥିଲା । ତେବେ ଏତେ ବଡ଼ ଲୁଟ୍‌ ପାଇଁ ସେ ବର୍ଷେ ପୂର୍ବରୁ ଯୋଜନା କରିଥିଲା । ଏଥିପାଇଁ ଚୋରୀ ଉପକରଣ ଏକାଠି କରିଥିଲା ବୋଲି ମନପଡା ପୋଲିସ୍‌ କହିଛି ।

ଅଭିଯୁକ୍ତ ସେଇଖ୍‌ ଏହି ଚୋରୀ ପାଇଁ କାନ୍ଥ ବାହାରକୁ ଯାଇଥିବା ଏସି ପାଇପ୍‌ର ସାହାରା ନେଇଥିଲା । ଏଥିପାଇଁ ସେ ପ୍ରଥମେ ଆଲାରାମ୍‌ ସିଷ୍ଟମକୁ ଅକାମୀ କରିଥିଲା । ପରେ ସିସିଟିଭିକୁ ଟ୍ୟାମ୍ପରିଂ କରିଥିଲା । ସୁବିଧା ଦେଖି ସେ ଟଙ୍କା ଲୁଟ୍‌ କରିନେଇଥିଲା । ବ୍ୟାଙ୍କ୍‌ କତ୍ତୃପକ୍ଷ ସିକ୍ୟୁରିଟି ଟଙ୍କା ଗାଏବ୍‌ ହୋଇଥିବା ପଛରେ ଜାଣିବାକୁ ପାଇଥିଲେ । ଏନେଇ ପୋଲିସ୍‌ରେ ଏଫ୍‌ଆଇଆର୍‌ ମଧ୍ୟ ଦେଇଥିଲେ ।

ତେବେ ପୋଲିସ୍‌ ପାଖରୁ ବଞ୍ଚିବା ପାଇଁ ଅଭିଯୁକ୍ତ ସେଇଖ୍‌ ବେଶ ବଦଳାଇବା ସହ ବୁର୍ଖା ପିନ୍ଧି ବୁଲୁଥିଲା । ଏହି ଲୁଟ୍‌ରେ ତାର ଭଉଣୀ ନିଲୋଫର୍‌ ମଧ୍ୟ ଜଡ଼ିତ ଥିଲା । ସେଇଖ୍‌ର ସମସ୍ତ ଖବର ତା ପାଖରେ ଥିଲା । ପ୍ରଥମେ ନିଲେଫର୍‌ ସମେତ ଅନ୍ୟ ୩ ଅଭିଯୁକ୍ତ ଅବରାର କ୍ୟୁରେସି, ଅହମ୍ମଦ ଖାନ୍‌ ଏବଂ ଅନୁଜ ଗିରିକୁ ଗିରଫ କରିଥିଲା ପୋଲିସ୍‌ । ସେମାନଙ୍କ ଠାରୁ ସୂଚନା ପାଇ ସେଇଖ୍‌କୁ ଗିରଫ କରିବା ସହ ୯ କୋଟି ଟଙ୍କା ଜବତ କରିଛି ପୋଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.