ଦରମା ନମିଳିବାରୁ ଅଫିସ୍‌ରେ ପକାଇଲେ ତାଲା, ୨ ଘଣ୍ଟା ଅଚଳ କରିଦେଲେ ଇଣ୍ଟରନେଟ୍ ଓ ଟେଲିଫୋନ୍ ସେବା

Published By : Prameya-News7 Bureau | August 24, 2021 IST

ନୀଳଗିରି ୨୪।୮: ନୀଳଗିରି ବିଏସଏନଏଲ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ଉନ୍ମତ କାଣ୍ଡ । ଦରମା ନମିଳିବାରୁ ଅଫିସରେ ଯନ୍ତ୍ରାଂଶ ସଟଡାଉନ କରିବା ସହ ଇଣ୍ଟରନେଟ୍ ଓ ଟେଲିଫୋନ୍ କଲ୍ ଅଚଳ କରିଦେଲେ । ଏପରିକି ହାତରେ ଠେଙ୍ଗା ଧରି ମୁଖ୍ୟ ଫାଟକରେ ତାଲା ମାରିଦେଲେ ।

ସୂଚନାଯୋଗ୍ୟ ଯେ, ନୀଳଗିରି ଡାକବଙ୍ଗଳା ବିଏସଏନଏଲ ଅଫିସରେ ଭେଣ୍ଡର ଅଧୀନରେ ତ୍ରିଲୋଚନ ପାତ୍ର ଓରଫ କାଳିଆ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ପୂର୍ବରୁ ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା ସମୟରେ ଅନେକ ମାସର ଦରମା ବାକି ରହିଥିଲା। ପୁଣି ବିଏସଏନଏଲର କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟ ଏକ ଭେଣ୍ଡର ନେବା ପରେ ସେ ତାଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିଲେ। ଦିନରାତି ତ୍ରିଲୋଚନ ହିତାଧିକାରୀଙ୍କୁ ସେବା ଯୋଗାଇ ଆସୁଥିଲେ । କୌଣସି କାମ ପଡିଲେ କିମ୍ବା ଟେଲିଫୋନ ଲାଇନ ଅଚଳ ହେଲେ ତାଙ୍କୁ ହିଁ ଖୋଜାପଡୁଥିଲା । ହେଲେ ମଙ୍ଗଳବାର ଦିନ ସେ ତାଙ୍କର ହିତାହିତ ଜ୍ଞାନ ଭୁଲିଯାଇଥିଲେ।

ତାଙ୍କ କହିବା ଅନୁସାରେ ସେ ଦୁଇ ମାସ ଧରି ଦରମା ପାଇନାହାନ୍ତି । କୋଭିଡ୍ ଭଳି ସଙ୍କଟ ସମୟରେ ସେ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଏହି ସ୍ବଳ୍ପ ଦରମା ନେଇ ତାଙ୍କ ପରିବାର ଚଳାନ୍ତି। ପୂର୍ବରୁ ଦରମା ବାକି ପଡିବା ପୁଣି ଭେଣ୍ଡର ବଦଳିବା ପରେ ଦୁଇ ମାସ ଦରମା ନମିଳିବାରୁ ଘର ଚଳାଇବା କଷ୍ଟକର ହୋଇପଡିଛି । ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ କହିବା ସତ୍ତ୍ବେ କୌଣସି ସୁଫଳ ମିଳିପାରିନାହିଁ। ତେଣୁ ସେ ଗେଟରେ ତାଲା ମାରି ଅଫିସ ଭିତରେ ଟେଲିଫୋନ୍ ଲାଇନ୍ ଅଚଳ କରିଦେଇଥିଲେ। ଫଳରେ ଦୁଇ ଘଣ୍ଟାଧରି କୌଣସି ଫୋନ୍ କଲ୍ ଯାଇ ପାରିନଥିବା ବେଳେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ବ୍ୟାଙ୍କ ଓ ସରକାରୀ ଅଫିସରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଥିଲା ।

କିଛି ଗ୍ରାହକ ନୀଳଗିରି ବିଏସଏନଏଲ ଅଫିସକୁ ଯାଇ ଦେଖିବାବେଳକୁ ମୁଖ୍ୟ ଫାଟକରେ ତାଲା ମରାଯିବା ସହ ତ୍ରିଲୋଚନ ହାତରେ ଠେଙ୍ଗା ଧରି ବସି ରହିଥିଲେ । ଖବର ପାଇ ବିଭଗୀୟ ଏସଡିଓ ଏବଂ ଅନ୍ୟ ଅଧିକାରୀ ନୀଳଗିରି ଆସିବା ପରେ ତାଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇଥିଲେ। ମୋର ଦରମା ଦିଅ ନଚେତ ମୋର ଯାହା କରିବ କର ବୋଲି ଅଡ଼ି ବସିଥିବା ବେଳେ ଅଫିସ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ନୀଳଗିରି ଆଇଆଇସି ଦାୟିତ୍ବରେ ଥିବା ବାସୁଦେବ ଜୟସିଂହ ଯାଇ ଠେଙ୍ଗା ଜବତ କରିବା ସହ ଅସ୍ଥାୟୀ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛନ୍ତି । ଆଇନକୁ ହାତକୁ ନେଇ ଗ୍ରାହକ ଓ ସରକାରୀ ଅଫିସ ଅଚଳ କରିବା ଅଭିଯୋଗ ଆଣିଛନ୍ତି ବିଭଗୀୟ ଏସଡିଓ । ଏଭଳି ଏକ ସମ୍ବେଦନଶୀଳ ଘଟଣା ପାଇଁ ପ୍ରକୃତ ଦାୟୀ କିଏ ? ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀ ଜଣକ ସ୍ବଳ୍ପ ଦରମା ପାଇ ନିଜର ପରିବାର ଗୁଜୁରାଣ କରୁଥିବା ବେଳେ ତାଙ୍କୁ ସଠିକ୍ ସମୟରେ ଯଦି ଦରମା ମିଳନ୍ତା ହୁଏତ ଆଜି ଏଭଳି ଏକ ଅଘଟଣ ଘଟିନଥାନ୍ତା। ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ସଠିକ୍ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.