ମାମୁଁର ଅମାନବୀୟ କାଣ୍ଡ: ଭଣଜାକୁ ହତ୍ୟା କରି ବଗିଚାରେ ପୋତି ଶବ ଉପରେ ଲଗେଇଦେଲା ଫୁଲଗଛ, କଣ ହୋଇଥାଇପାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ! ଜାଣନ୍ତୁ...

Published By : Prameya-News7 Bureau | January 11, 2019 IST

ଦିଲ୍ଲୀ ୧୧/୧ : ରାଜଧାନୀ ଦିଲ୍ଲୀର ଏକ ଚାଂଚଲ୍ୟକର ହତ୍ୟା ଘଟଣା ୩ ବର୍ଷ ପରେ ସାମ୍ନା ଆସିଛି | ଏହି ତ୍ରୀକୋଣୀୟ ପ୍ରେମ କାହାଣୀର ଖୁଲାସା ହେବାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ | ଜଣେ ଯୁବକ ହତ୍ୟା କରିଥିଲା ନିଜ ଭଣଜାକୁ | ମାମୁଁକୁ ସନ୍ଦେହ ହୋଇଥିଲା ଯେ, ଭଣଜା ମାମୁଁର ପ୍ରେମିକା ସହ ମିଳାମିଶା କରୁଛି | ମାମୁଁର ସନ୍ଦେହ ଏତେ ବଢିଗଲା ଯେ, ସେ ଭଣଜାକୁ ହତ୍ୟା କରି ପୋଲିସକୁ ବଂଚିବା ପାଇଁ ଭଣଜାର ଶବକୁ ଏକ ଫୁଲର ବିଛଣାରେ ଲୁଚେଇ ଦେଇଥିଲା |


ଘଟଣା ୨୦୧୬ ମସିହାର | ପୋଲିସ ସୂଚନା ଅନୁସାରେ ମାମୁଁ ପ୍ରଥମେ ଭଣଜାକୁ ହତ୍ୟା କରିଥିଲା | ଏହାପରେ ଭଣଜାକୁ ବାଲକନିରେ ଥିବା ବଗିଚାରେ ପୋତି ଦେଇଥିଲା | ତାପରେ ଏହା ଉପରେ ଫୁଲ ଗଛ ଲଗାଇ ଦେଇଥିଲା | ଅଭିଯୁକ୍ତ ମାମୁଁ ହେଲା ବିଜୟ କୁମାର ମହାରଣା | ଅଭିଯୁକ୍ତକୁ ହାଇଦ୍ରାବାଦରୁ ପୋଲିସ ଗିରଫ କରିଛି | ଦିଲ୍ଲୀ ପୋଲିସ ହତ୍ୟାକାରୀ ମାମୁଁକୁ ପଚରାଉଚୁରା କରିବାରୁ ମାମୁଁ ସମସ୍ତ ଘଟଣାର ଖୁଲାସା କରିଥିଲା |


ସୂଚନାଯୋଗ୍ୟ ଯେ, ୩ ବର୍ଷ ପୂର୍ବରୁ ୨୦୧୫ ମସିହାରେ ଭଣଜା ଜୟ ପ୍ରକାଶ ନିଜ ମାମୁଁ ବିଜୟ କୁମାର ପାଖରେ ରହିବାକୁ ଦିଲ୍ଲୀ ଯାଇଥିଲେ | ସେତେବେଳେ ବିଜୟଙ୍କ ପ୍ରେମିକା ତାଙ୍କ ଘରକୁ ଯିବା ଆସିବା କରୁଥିଲେ | ଏମିତିରେ ମିଳାମିଶା କରି ବିଜୟଙ୍କ ପ୍ରେମିକାଏବଂ ଭଣଜାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା | ଭଣଜା ମାମୁଁଙ୍କ ପ୍ରେମିକାଙ୍କୁ ବାହାରକୁ ବୁଲେଇବା ପାଇଁ ମଧ୍ୟ ନେଇ ଯାଉଥିଲେ | ଏସବୁ ଦେଖି ମାମୁଁର ରାଗ ବଢିଯାଇଥିଲା | ଏହାପରେ ମାମୁଁ ଭଣଜାକୁ ତାଗିଦ କରିବା ଆରମ୍ଭ କରିଥିଲା | ମାମୁଁ କହିବା ଅନୁସାରେ, ମାମୁଁର ତାଗିଦ ସତ୍ୱେ ଭଣଜା ମାମୁଁର ପ୍ରେମିକା ସହ କଥାବାର୍ତ୍ତା କରୁଥିଲା, ମିଳାମିଶା କରୁଥିଲା | ଉଭୟ ମେସେଜ ମଧ୍ୟ ଦିଆନିଆ କରୁଥିଲେ | କିନ୍ତୁ ମାମୁଁ ପଚାରିଲେ ଭଣଜା ମନ କରିଦେଉଥିଲା ଯେ, କଥାବାର୍ତ୍ତା କରୁନାହିଁ |


ଧୀରେ ଧୀରେ ବିଜୟଙ୍କ ରାଗ ପ୍ରଚଣ୍ଡ ବଢିଗଲା | ରାଗିଯାଇ ସେ ଦିନେ ଜୟ ପ୍ରକାଶର ମୁଣ୍ଡକୁ ପଙ୍ଖାର ମଟର ସାହାଯ୍ୟରେ ଶକ୍ତ ଆଘାତ ଦେଇଥିଲେ | ମୁଣ୍ଡରେ ଶକ୍ତ ଆଘାତ ହୋଇଥିବା ଯୋଗୁଁ ଜୟ ପ୍ରକାଶର ମୃତ୍ୟୁ ହୋଇଯାଇଥିଲା | ପୋଲିସ ଏବଂ ପରିବାରଠୁ ବଂଚିବା ପାଇଁ ବିଜୟ କୁମାର ଭଣଜାର ମୃତଦେହକୁ ବାଲକନିରେ ଥିବା ଗାର୍ଡେନରେ ପୋତି ଦେଇ ତା'ଉପରେ ଫୁଲ ଗଛ ଲଗାଇ ଦେଇଥିଲା |


ଏହାପରେ ବିଜୟ କୁମାର ନିଜେ ଥାନାକୁ ଯାଇ ଭଣଜା ଯେ ପ୍ରକାଶ ନିଖୋଜ ଥିବା ନେଇ ଏତଲା ଦେଇଥିଲା | ଥାନାରେ ନିଖୋଜ ଥିବା ଏତଲା ଦେଲେ ତା ଉପରେ କେହି ସନ୍ଦେହ କରିବେନି ବୋଲି ସେ ଏଭଳି କରିଥିଲା | ଏହାର ୩ ମାସ ପରେ ବିଜୟ କୁମାର ରହୁଥିବା ଘର ଛାଡି ଦେଇଥିଲା ଏବଂ ଦିଲ୍ଲୀରୁ ମଧ୍ୟ ପଳେଇଗଲା |


୨୦୧୮ ମସିହା ଅକ୍ଟୋବର ମାସରେ ଘର ମାଲିକ ସେହି ଗାର୍ଡେନ କଣ କାମ କରିବାକୁ ମାଟି ଖୋଲିବାରୁ ମାଟି ତଳୁ କଙ୍କାଳ ମିଳିଥିଲା | ମାଟିତଳୁ ଏକ ନୀଳ ରଙ୍ଗର ଜ୍ୟାକେଟ ମଧ୍ୟ ମିଳିଥିଲା | ଏନେଇ ଘର ମାଲିକ ପୋଲିସକୁ ଖବର ଦେଇଥିଲେ | କଙ୍କାଳର ଡିଏନଏ ଟେଷ୍ଟ କରିବା ପରେ ଜଣାପଡିଥିଲା କଙ୍କାଳ ଜୟ ପ୍ରକାଶର |


ଡିସିପି ରାଜେନ୍ଦ୍ର ସିଂ ଅଭିଯୁକ୍ତକୁ କାବୁ କରିବା ପାଇଁ ଏକ ଟିମ ଗଠନ କରିଥିଲେ | ଏହି ଟିମ ୩ ମାସ ପର୍ଯ୍ୟନ୍ତ ବିଜୟ କୁମାରର ପିଛା କରିବା ପରେ ହାଇଦ୍ରାବାଦରୁ ତାକୁ ଗିରଫ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.