ବାପା ମାଡରେ ନାବାଳିକା ଝିଅର ମୃତ୍ୟୁ ! ଶବକୁ ପୋତି ନିଖୋଜ ନେଇ ଦେଲେ ଏତଲା : ମାଟି ଖୋଳି ଶବ ବାହାର କଲା ପୋଲିସ

Published By : Prameya-News7 Bureau | November 27, 2020 IST

ଜୟପୁର ୨୭।୧୧: ନିଜ ଝିଅକୁ ହତ୍ୟା କଲା ବାପା । ହତ୍ୟା ପରେ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରି ନିଖୋଜର ରୂପ ଦେଇଥିଲା । ଗାତ ଖୋଳି ପୋତି ଦେଇଥିଲା ଶବକୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି ତାଙ୍କ ଝିଅ ନିଖୋଜ ନେଇ ଏକ ଫଟୋ ଭାଇରାଲ୍ କରିଥିଲା । କିଛି ଦିନ ମଧ୍ୟରେ ଖବର ପାଇ ପଟାଙ୍ଗି ପୋଲିସ ବାଙ୍ଗୁରୁ ପାଙ୍ଗିଙ୍କୁ ଆଣି ପଚରାଉଚରା କରିଥିଲା । ତାପରେ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଝିଅକୁ ପିଟି ପିଟି ହତ୍ୟା କରିବା ପରେ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରି ନିଖୋଜ ହେବାର ରୂପ ଦେଇଥିଲା । ଦେଓମାଳି ପାହାଡର ପାଦ ଦେଶରେ ସ୍ଥାନୀୟ କୋଟିଆ ଘାଟି ଭୈରବୀ ମନ୍ଦିର ସାମ୍ନା ପାହାଡ଼ରେ ଏକ ଗାତ ଖୋଳି ଶବକୁ ପୋତି ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି ।

ତଦନ୍ତରେ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସମେତ ୪ ଥାନାର ଅଧିକାରୀ ସାମିଲ ହୋଇଥିଲେ । ପଟାଙ୍ଗି ପୋଲିସ ଆଇଆଇସି ବିଜୟ ରାଜା ମାଝୀ ଓ ସେମିଳିଗୁଡ଼ା ପୋଲିସ ଆଇଆଇସି ଧୀରେନ କୁମାର ବେହେରା ଓ ଦାମନଯୋଡ଼ି ପୋଲିସ ଆଇଆଇସି ସୁମିତକୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛନ୍ତି । ବାଙ୍ଗୁରୁ ପାଙ୍ଗି ଓ ତାକୁ ସହଯୋଗ କରିଥିବା ଲୋକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.