ନାତି-ନାତୁଣୀଙ୍କୁ ପୋଢୁଆଁ କରିପାରିଲେନି ଅଜା, ଦା'ରେ ବେକ କାଟି ଶ୍ୱଶୂରକୁ ହତ୍ୟା କଲା ଜ୍ୱାଇଁ

Published By : Prameya-News7 Bureau | December 08, 2020 IST

ବୈଶିଙ୍ଗା,୦୮/୧୨: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଥମାଷ୍ଟମୀ ପାଇଁ ନାତିକୁ ପୋଢ଼ୁଆଁ କରିବାକୁ ନୂଆ ପୋଷାକ ନେଇ ଜ୍ୱାଇଁଙ୍କ ଘରକୁ ଆସିଥିବା ଶ୍ୱଶୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।  ଜ୍ୱାଇଁ ଓ ତାଙ୍କ ଭାଇ ମିଶି ଶ୍ୱଶୁରଙ୍କ ବେକକୁ ଦା’ରେ କାଟି ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ପୋଲିସ୍‌ ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଛି ।

ପୋଲିସର କହିବାନୁସାରେ,  ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା ପଞ୍ଚାୟତ କ୍ଷୀରପଦା ଗାଁରେ ରହୁଥିବା ରମେଶ ସିଂ(୫୫)ଙ୍କ ଝିଅଙ୍କୁ ରଘୁପୁର ପଞ୍ଚାୟତ ଖୁଣ୍ଟାପୁର ଗାଁର ଗଣ ସିଂଙ୍କ ପୁଅ ରାଜୁ (୩୬) ବିବାହ କରିଥିଲେ। ଉଭୟଙ୍କର ଦୁଇଟି ପୁଅ ଝିଅ ଅଛନ୍ତି। ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ହୋଇତାଏ । ତେଣୁ ରାଜୁଙ୍କ ପତ୍ନୀ ବାପ ଘରେ ରହୁଥିଲେ। କିନ୍ତୁ ପିଲାମାନେ ରାଜୁଙ୍କ ପାଖରେ ରହୁଥିଲେ ।

ତେବେ ମଙ୍ଗଳବାର ପ୍ରଥମାଷ୍ଟମୀ ଥିବାରୁ ନାତି ନାତୁଣୀଙ୍କୁ ପୋଢ଼ୁଆଁ କରିବାକୁ ସୋମବାର ଅପରାହ୍ନଣରେ ରମେଶ ଜ୍ୱାଇଁଙ୍କ ଘରକୁ ଆସିଥିଲେ । ନାତି ନାତୁଣୀଙ୍କୁ ଦେଖିବେ ଏବଂ ଜ୍ୱାଇଁଙ୍କୁ ବୁଝାଇବେ ବୋଲି ରମେଶ ଚିନ୍ତା କରି ଆସିଥିଲେ। କିନ୍ତୁ ସେ ଜାଣିନଥିଲେ ଏଠାରେ ତାଙ୍କର ମୃତ୍ୟୁ ଲୁଚି ରହିଛି ।  ଜ୍ୱାଇଁଙ୍କ ଘରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ହୋଇଉଠିଥିଲେ ଜ୍ୱାଇଁ ରାଜୁ ଭାଇଙ୍କ ସହ ମିଶି ଶ୍ୱଶୁରଙ୍କୁ ବାନ୍ଧି ଦେଇଥିଲେ । ଏହାପରେ ଦା’ରେ ତାଙ୍କ ବେକକୁ କାଟି ପକାଇଥିଲେ। ଘଟଣାସ୍ଥଳରେ ରମେଶଙ୍କ ପ୍ରାଣବାୟୁ ଉଡିଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.