୪୦ ବର୍ଷ ତଳେ ପତ୍ନୀଙ୍କୁ କରିଥିଲେ ହତ୍ୟା, ୭୪ ବର୍ଷୀୟ ବ୍ୟକ୍ତିଙ୍କୁ ୨୪ ବର୍ଷ ଜେଲ ଦଣ୍ଡ

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: ୪୦ ବର୍ଷ ତଳେ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଜଣେ ପୂର୍ବତନ ଶିକ୍ଷକଙ୍କୁ ୨୪ ବର୍ଷ ଜେଲ ଦଣ୍ଡ ମିଳିଛି । ୭୪ ବର୍ଷୀୟ ଅଷ୍ଟ୍ରେଲିଆର ପୂର୍ବତନ ହାଇସ୍କୁଲ ଶିକ୍ଷକ କ୍ରିଷ୍ଟୋଫର ଡାଉସନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସେଠାକାର ସୁପ୍ରିମକୋର୍ଟ । ୨୦୧୮ ମସିହାରେ ଏହି ହତ୍ୟା ମାମଲାକୁ ପୁଣି ଥରେ ଖୋଲାଯାଇଥିଲା । ଦ ଟିଚର୍ସ ପେଟ୍ ପଡକାଷ୍ଟ ପରେ ପୋଲିସ ବାଧ୍ୟ ହୋଇ ପୁଣି ଥରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ଗତ ଅଗଷ୍ଟ ମାସରେ ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟ ନିଜ ପତ୍ନୀଙ୍କୁ ହତ୍ୟା ମାମଲାରେ ଡାଉସନଙ୍କୁ ଦୋଷୀ ପାଇଥିଲେ । ଜଣେ ଛାତ୍ରଙ୍କ ସହ ଅନୈତିକ ସମ୍ପର୍କ ସନ୍ଦେହ କରି ଡାଉସନ ୧୯୮୨ ମସିହାରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଶୁଣାଣି ସମୟରେ ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟ ବିଚାରପତି ହ୍ୟାରିସନ କହିଥିଲେ ଯେ ପତ୍ନୀଙ୍କୁ ହତ୍ୟା କରିବା ପରେ ବି ଡାଉସନ ନିଜର ୩୬ ବର୍ଷ ମୁକ୍ତ ଭାବରେ ବିତାଇ ସାରିଛନ୍ତି । ଶୁଣାଣି ସମୟରେ ଡାଉସନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାସହ ତାଙ୍କ ପତ୍ନୀ ସେହି ସମୟରେ ତାଙ୍କୁ ଛାଡ଼ି କେଉଁ ଆଡେ ଚାଲି ଯାଇଥିବା କହିଥିଲେ ।

ଏହି ଦଣ୍ଡାଦେଶ ପରେ ଡାଉସନଙ୍କୁ ଅତି କମରେ ୨୦୨୪ ଯାଏଁ ଜେଲରେ ରହିବାକୁ ପଡିବ । ଏହାପରେ ହିଁ ତାଙ୍କୁ ପାରୋଲ ମିଳିପାରିବ । ରିପୋର୍ଟ ଅନୁସାରେ ଯେଉଁ ପଡକାଷ୍ଟ ପରେ ପୋଲିସ ପୁଣି ଥରେ ତଦନ୍ତ ପାଇଁ ବାଧ୍ୟ ହୋଇଥିଲା ତାହାକୁ ୫୦ ମିଲିୟନରୁ ଅଧିକ ଥର ଡାଉନଲୋଡ କରାଯାଇ ସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.