ପ୍ରଥମେ ଧକ୍କା ଦେଲେ, ଅଟକିବାକୁ କହିବାରୁ କାର୍ ବନେଟ୍‌ରେ ଏକ କିମି ଘୋଷାରି ନେଲେ ମହିଳା ଡ୍ରାଇଭର

Published By : Prameya-News7 Bureau | January 20, 2023 IST

ବେଙ୍ଗାଲୁରୁ: ଆଇନ ଶୃଙ୍ଖଳାରେ ଢିଲା ଯୋଗୁ ପ୍ରତିଶୋଧର ଏକ ନୂଆ ତରିକା ବାହାରିଛି। କିଏ କାର୍ ଚଢ଼ାଇ ହତ୍ୟା କରୁଛି ତ ଆଉ କିଏ କାର୍‌ରେ ଘୋଷାରି ମାରୁଛି। ନିକଟରେ ରାଜଧାନୀ ଦିଲ୍ଲୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି। ଏବେ ଉତ୍ତର ଭାରତରୁ ଏଭଳି ମାମଲା କରୋନା ଭଳି ବ୍ୟାପୀ ଦକ୍ଷିଣ ଭାରତରେ ପହଞ୍ଚିଛି। କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।  

ଏଠାରେ ଜଣେ ମହିଳା ଡ୍ରାଇଭର ସାମାନ୍ୟ ଯୁକ୍ତି ତର୍କରୁ ଜଣେ ବ୍ୟକ୍ତିଙ୍କୁ କାର୍‌ ବନେଟ୍ ଉପରେ ବସାଇ ଏକ କିମି ପର୍ଯ୍ୟନ୍ତ ଘୋଷାରି ନେଇଛନ୍ତି। ବେଙ୍ଗାଲୁରୁ ଜ୍ଞାନ ଭାରତୀ ନଗର ଏରିଆରେ ଏଭଳି ଘଟିଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଏରିଆରେ ଏକ ଟାଟା ନିକ୍ସନ ଓ ମାରୁତୀ ସ୍ୱିଫ୍ଟ କାର୍‌ ପରସ୍ପର ସହ ଧକ୍କା ହୋଇଥିଲା। ଟାଟା ନିକ୍ସନ ଗାଡ଼ିକୁ ପ୍ରିୟଙ୍କା ନାମ୍ନୀ ଜଣେ ମହିଳା ଚଳାଉଥିବା ବେଳେ ଦର୍ଶନ ମାନକ ବ୍ୟକ୍ତି ସ୍ୱିଫ୍ଟ କାର୍ ଚଳାଉଥିଲେ।  

ଦୁଇ ଜଣଙ୍କ ଗାଡ଼ି ପରସ୍ପର ସହ ଧକ୍କା ହେବା ପରେ ଉଭୟ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦର୍ଶନ ପ୍ରିୟଙ୍କାଙ୍କ ଗାଡ଼ିକୁ ଅଟକାଇବାକୁ ଚାହୁଁଥିବା ବେଳେ ପ୍ରିୟଙ୍କା ଗାଡ଼ି ଚଳାଇବା ଆରମ୍ଭ କରିଥିଲେ। ଏହାପରେ ଦର୍ଶନ କାର୍ ବନେଟ ଉପରକୁ ଡେଇଁ ପଡ଼ିଥିଲେ। ସେ କାର୍‌ରେ ବସିଥିବା ସମୟରେ ପ୍ରିୟଙ୍କା ପ୍ରାୟ ଏକ କିମି ପର୍ଯ୍ୟନ୍ତ କାର୍ ଚଳାଇ ନେଇଯାଇଥିଲେ।  

ଟ୍ରାଫିକ୍ ୱେଷ୍ଟର ଡେପୁଟି ପୁଲିସ କମିଶନରଙ୍କ ସୂଚନା ଅନୁସାରେ ପ୍ରିୟଙ୍କା ପ୍ରଥମେ ଦର୍ଶନଙ୍କ କାର୍‌କୁ ଧକ୍କା ଦେଇଥିଲେ। ଏହାପରେ ଦର୍ଶନ ଯେତେବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ମହିଳା ଜଣଙ୍କ ଅଶ୍ଳୀଳ ଇଙ୍ଗିତ କରି କାର୍ ଚଳାଇ ଚାଲିଯିବାକୁ ଚେଷ୍ଟା କରିଥିଲେ। ତେବେ ଦର୍ଶନ ତାଙ୍କ କାର୍ ଅଟକାଇବା ପରେ ପ୍ରିୟଙ୍କା ବାହାରକୁ ଆସିବାକୁ ମନା କରି ଗାଡ଼ି ଚଳାଇଥିଲେ। ଗାଡ଼ି ଧକ୍କାରୁ ରକ୍ଷା ପାଇବା ପାଇଁ ଦର୍ଶନ ସଙ୍ଗେ ସଙ୍ଗେ ପ୍ରିୟଙ୍କା କାର୍ ବୋନେଟ୍ ଉପରକୁ ଡେଇଁ ପଡ଼ିଥିଲେ। ହେଲେ ସେ କିନ୍ତୁ ଗାଡ଼ି ନ ଅଟକାଇ ଏକ କିମି ପର୍ଯ୍ୟନ୍ତ କାର୍ ଚଳାଇ ନେଇଥିଲେ ବୋଲି ଡେପୁଟି ପୁଲିସ କମିଶନର ସୂଚନା ଦେଇଛନ୍ତି।

ଏହାପରେ ପ୍ରିୟଙ୍କା ଗାଡ଼ି ରୋକିବା ପରେ ଦର୍ଶନ ଏବଂ ତାଙ୍କର କିଛି ସାଙ୍ଗ ପ୍ରିୟଙ୍କା ଗାଡ଼ିର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ଉଭୟ ଉଭୟଙ୍କ ବିରୋଧରେ ଥାନାରେ ମାମଲା କରିଛନ୍ତି ବୋଲି ଡିସିପି କହିଛନ୍ତି। ତେବେ ପ୍ରିୟଙ୍କାଙ୍କ ବିରୋଧରେ ଆଇପିସି ଧାରା ୩୦୭(ହତ୍ୟା ଉଦ୍ୟମ) ଧାର ଲାଗିଥିବା ବେଳେ ଦର୍ଶନଙ୍କ ବିରୋଧରେ  ଧାରା ୩୫୪ ମହିଳାଙ୍କ ମର୍ଯ୍ୟାଦା ହାନୀ ଅଭିଯୋଗ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.