ନୂଆଦିଲ୍ଲୀ ୦୬/୧୨: ମୃଦଙ୍ଗ, ତବଲା ଧ୍ବନୀର ତାଳେ ତାଳେ ଚାଲିଥିଲା କୀର୍ତ୍ତନ। କୀର୍ତ୍ତନ ସମୟରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା। ଧିରେ ଧରେ ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ମୁଣ୍ଡକୁ ତବଲାରେ ପିଟି ଦେଇଥିଲେ। ତବଲା ମାଡ଼ରେ ଗୁରୁତର ହୋଇଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏଭଳି ଏକ ଘଟଣା ଆରକେ ପୁରମରେ ଘଟିଛି। ମୃତକ ଗୁରୁଦ୍ବାରରେ ଭଜନ କୀର୍ତ୍ତନ କରନ୍ତି। ମୃତକ ରବିନ୍ଦ୍ର ସିଂହ ଓ ଅଭିଯୁକ୍ତ ଦର୍ଶନ ସିଂହ ଗୁରୁଦ୍ବାରରେ ଭଜନ ସଭା ଆୟୋଜିତ କରନ୍ତି। ଶୁକ୍ରବାର ସକାଳେ କୀର୍ତ୍ତନ ଚାଲିଥିବା ବେଳେ ରବିନ୍ଦ୍ର ଓ ଦର୍ଶନଙ୍କ ମଧ୍ୟରେ ଛୋଟ କଥାକୁ ନେଇ ବଚସା ହୋଇଥିଲା। ଏଥିରେ ରାଗି ଯାଇ ଦର୍ଶନ ତବଲାରେ ରବିନ୍ଦ୍ରଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ତେବେ ରବିନ୍ଦ୍ରଙ୍କ ସ୍ତ୍ରୀ ଝଗଡ଼ାକୁ ରୋକିବାକୁ ଚେଷ୍ଟା କରିଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ତବଲା ମାଡ଼ରେ ଗୁରୁତର ରବିନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେପଟେ ଝଗଡ଼ାକୁ ସମାଧାନ କରିବାକୁ ଯାଇଥିବା ରବିନ୍ଦ୍ରଙ୍କ ସ୍ତ୍ରୀ ଗୁରୁତର ଥିବା ବେଳେ ଚିକିତ୍ସିତ ହେଉଛନ୍ତି। ତେବେ ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଡିସିପି ପ୍ରତାପ ସିଂହ କହିଛନ୍ତି।