ବିମାନ ହାଇଜ୍ୟାକ୍ ହୋଇଥିବା ନେଇ ଟ୍ୱିଟ୍ କଲେ ଯାତ୍ରୀ, ଏୟାରପୋର୍ଟରେ ଓହ୍ଲାଇଦେଲା ସ୍ପାଇସ୍ଜେଟ୍
26/01/2023 at 10:37 PM

ନୂଆଦିଲ୍ଳୀ, ୨୬/୦୧: ବିମାନ ହାଇଜ୍ୟାକ୍ ହୋଇଥିବା ଟ୍ବିଟ୍ କରିବା ଭାରି ପଡ଼ିଛି ଜଣେ ଯାତ୍ରୀଙ୍କୁ। ଟ୍ବିଟ୍ ପାଇଁ ତାଙ୍କୁ ପ୍ଲେନ୍ରୁ ଓହ୍ଲାଇ ଦିଆଯାଇଛି। ପ୍ରକୃତରେ ଯାତ୍ରୀ ଜଣକ ଭୁଲ୍ ଟ୍ବିଟ୍ କରିଥିଲେ। ଆଉ ଏଥିପାଇଁ ତାଙ୍କୁ ପ୍ଲେନ୍ରୁ ଓହ୍ଲାଇଦିଆଯାଇଥିଲା।
ସୂଚନା ଅନୁଯାୟୀ, ବୁଧବାର ଦୁବାଇରୁ ଜୟପୁର ଆସୁଥିବା ସ୍ପାଇସଜେଟ୍ ବିମାନର ଜଣେ ଯାତ୍ରୀଙ୍କୁ ବିମାନରୁ ମିଥ୍ୟା ଟ୍ବିଟ୍ ପାଇଁ ଓହ୍ଲାଇ ଦିଆଯାଇଛି। ରାଜସ୍ଥାନ ନାଗାପୁରର ମୋତି ସିଂହ ରାଠୋଡ଼ ନାମକ ଜଣେ ୨୯ ବର୍ଷୀୟ ବ୍ୟକ୍ତି ସ୍ପାଇସଜେଟ୍ ବିମାନରେ ଦୁବାଇରୁ ରାଜସ୍ଥାନ ଆସୁଥିଲେ।
କିନ୍ତୁ ଖରାପ ପାଗ ଯୋଗୁଁ ବିମାନ ନିର୍ଦ୍ଧାରିତ୍ ରୁଟ୍କୁ ପରିବର୍ତ୍ତନ କରି ଦିଲ୍ଳୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରେ ସକାଳ ୯ ଟା ୪୫ ମିନିଟ୍ ସମୟରେ ପହଞ୍ଚିଥିଲା ଏବଂ ପୁନଃ ଉଡ଼ାଣ ଭରିବା ପାଇଁ ଦିନ ୧:୪୦ ସୁଦ୍ଧା ବିମାନକୁ ସମସ୍ତ କ୍ଲିୟରାନ୍ସ ମିଳିଥିଲା। ଏହି ସମୟରେ ମୋତି ରାଠୋଡ଼ ଟ୍ବିଟ୍ କରିଥିଲେ ଏବଂ ବିମାନ ହାଇଜାକ୍ ହୋଇଥିବା ନେଇ କହିଥିଲେ।
ଏହା ଜଣାପଡ଼ିବା ପରେ ଯୁବକଙ୍କୁ ବିମାନରୁ ତାଙ୍କ ଲଗେଜ୍ ଓହ୍ଲାଇଦିଆଯାଇଥିଲା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ବିମାନ ଉଡ଼ାଣ ଭରିଥିଲା। ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।