ମଦ ପିଇ ଡାକ୍ତରଖାନାରେ ଆତଙ୍କ ସୃଷ୍ଟି କଲା ଯୁବକ, କାବୁ କରି ଭୁଜାଲି ଉଦ୍ଧାର କଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | December 26, 2021 IST

ଦେବଗଡ, ୨୬।୧୨: ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ଧରାପଡ଼ିଲା ଆତଙ୍କ ସୃଷ୍ଟି କରୁଥିବା ଯୁବକ । ଧରା ପଡିଥିବା ଯୁବକ ଜଣକ ହେଲେ ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ନିଳବେର୍ଣୀ ସାହିର ଦିନେଶ ହେଣେଜଙ୍କ ପୁଅ ବୁଧୁ ହେଣେଜ। ଶନିବାର ରାତିରେ ବୁଧୁ ମଦ୍ୟପାନ କରି ତାଙ୍କ ସ୍ତ୍ରୀ ମଞ୍ଜୁ ମୁଣ୍ଡାଙ୍କୁ ମାଡପିଟ କରିଥିବା ବେଳେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ମଞ୍ଜୁ ଓ ତାଙ୍କ ଆଠ ବର୍ଷର ଝିଅ ରହିଥିବା ବେଳେ ରବିବାର ସନ୍ଧ୍ୟାରେ ବୁଧୁ ଡାକ୍ତରଖାନା ଭିତରେ ଭୁଜାଲି ଧରି ପ୍ରବେଶ କରିବା ସହ ଆତଙ୍କରାଜ ଚଳାଇଥିଲେ।

ସେ ଭୁଜାଲି ଦେଖାଇ ସ୍ତ୍ରୀ ପାଖରୁ ଜୋର ଜବରଦସ୍ତି ଛୋଟ ଝିଅକୁ ନେବାପାଇଁ ଉଦ୍ୟମ କରୁଥିଲେ । ଏସଂପର୍କରେ ଡାକ୍ତରଖାନାରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ତାପସ କୁମାର ବେହେରା, ଅଭିଜିତ ରଣା ଓ ଅନୀତା ବେହେରା ଉପସ୍ଥିତ ବୁଦ୍ଧି ଖଟାଇ ବୁଧୁକୁ କାବୁ କରିବା ସହ ତାଠାରୁ ଭୁଜାଲି ଛଡାଇଥିଲେ । ସୁରକ୍ଷାକର୍ମୀମାନେ ଆତଙ୍କ ସୃଷ୍ଟି କରୁଥିବା ବୁଧୁକୁ ଦେବଗଡ ଆଦର୍ଶ ଥାନା ପୋଲିସ ଜିମା ଦେଇଛନ୍ତି । ଦେବଗଡ ପୋଲିସ ପକ୍ଷରୁ ଘଟଣା ସଂପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.