ନାବାଳିକା ସହ ଦୁଷ୍କର୍ମ, କେରଳର ଦୋଷୀକୁ ୧୪୨ ବର୍ଷ ଜେଲ୍ ସଜା, ଲାଗିଲା ୫ ଲକ୍ଷ ଟଙ୍କାର ଜରିମାନା

Published By : Prameya-News7 Bureau | October 01, 2022 IST

ଥିରୁଅନନ୍ତପୁରମ: କେରଳର ଏକ ପୋକ୍ସୋ କୋର୍ଟ ନିଜର ଐତିହାସିକ ରାୟ ଶୁଣାଇ ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୪୨ ବର୍ଷର କଠୋର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। କେବଳ ଏତିକି ନୁହେଁ ଦୋଷୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ୪୧ ବର୍ଷୀୟ ଏହି ଅଭିଯୁକ୍ତ ୧୦ ବର୍ଷ ବୟସର ଜଣେ ନାବାଳିକାକୁ ଦୁଇ ବର୍ଷ  ଧରି ଦୁଷ୍କର୍ମ କରି ଆସିଥିଲା।

ଶିଶୁ ଯୌନ ଅପରାଧ ନିୟନ୍ତ୍ରଣ ସୁରକ୍ଷା(ପୋକ୍ସୋ) କୋର୍ଟ ଏମିତି ରାୟ ଦେଇ କହିଛନ୍ତି ଯେ, ଦୋଷୀ ନିର୍ଦ୍ଧାରିତ ସମୟରେ ଜରିମାନା ପୈଠ ନକରନ୍ତି ତେବେ ଅତିରିକ୍ତ ତିନି ବର୍ଷ ଜେଲ୍‌ରେ କାଟିବାକୁ ପଡିବ। ଏହି ଘଟଣା କେରଳର ପାଥାନାମଥିଟ୍ଟା ଜିଲ୍ଲାର। ଦୋଷୀଙ୍କୁ ଏତେ ବର୍ଷ ଦଣ୍ଡରେ ଦଣ୍ଡିତ କରାଯିବା କେବଳ କେରଳ ନୁହେଁ ଭାରତରେ ବିରଳ ଘଟଣା।

ଦୋଷୀଙ୍କ ନାମ ହେଉଛି ଆନନ୍ଦନ ପିଆର ଓରଫ ବାବୁ। କୋର୍ଟଙ୍କ ଆଦେଶ ମୁତାବକ ବାବୁଙ୍କୁ ୬୦ ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଅଭିଯୁକ୍ତ ବିରୋଧରେ ୨୦୨୧ ମାର୍ଚ୍ଚରେ ତିରୁଭଲ୍ଲା ପୋଲିସ ୨୦୧୯-୨୦ରେ ୧୦ ବର୍ଷର ନାବାଲିକା ସହିତ ଦୁଷ୍କର୍ମ ଏବଂ କ୍ରୁର ଉତ୍ପୀଡନ ଅପରାଧରେ ମାମଲା ରୁଜୁ କରିଥିଲା।

ବାବୁ ନାବାଳିକାର ସଂପର୍କୀୟ ଏବଂ ତାର ବାପା-ମାଆଙ୍କ ସହ ନାବାଳିକାଙ୍କ ଘରେ ରହୁଥିଲା। ପାଥାନାମଥିଟ୍ଟା ପୋଲିସ୍ ଅନୁଯାୟୀ, ମାମଲାରେ ପୀଡିତା ପକ୍ଷରୁ ପୋକ୍ସୋର ଅଭିଯୋଜକ ଓକିଲ ଜାସନ ମାଥ୍ୟୁଜ ହାଜର ହୋଇଥିଲେ। ଘଟଣାରେ ନାବାଳିକାର ବୟାନ, ମେଡିକାଲ ରେକର୍ଡ ସହିତ ଯାହା ବି ପ୍ରମାଣ ଥିଲା, କୋର୍ଟରେ ଉପସ୍ଥାପନ କରାଯାଇଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଦୋଷୀଙ୍କୁ ୧୪୨ ବର୍ଷର କଠୋର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।                                                     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.