ପରିବା ବଜାରକୁ ବୋମା ନେଇ ଆସିଥିଲେ, କିଣିବା ବେଳେ ହଠାତ୍ ହେଲା ପ୍ରଚଣ୍ଡ ବିସ୍ଫୋରଣ, ୪ ଗୁରୁତର ଆହତ
8/01/2023 at 6:49 PM

ଧାନବାଦ: ପରିବାର ମାର୍କେଟ୍ରେ ଭୟଙ୍କର ବୋମା ବିସ୍ଫୋରଣ। ପରିବା କଣିବାକୁ ଆସିଥିବା ଲୋକର ବେଗ୍ ଫୁଟିଲା ବୋମା। ଝାରଖଣ୍ଡ ଧାନବାଦରେ ଏଭଳି ଘଟଣା ଘଟିଛି। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବ୍ୟକ୍ତି ଜଣେ ବାଇକ୍ ଡିକିରେ ବୋମା ନେଇ କାହିଁକି ପରିବା କିଣିବାକୁ ଆସିଥିଲେ? ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି।
ବ୍ୟକ୍ତି ଜଣଙ୍କ ବାଇକ୍ ଡିକିରେ ବୋମା ନେଇ ପରିବା କିଣିବାକୁ ଆସିଥିବା ବେଳେ ହଠାତ୍ ବୋମାଟି ବିସ୍ଫୋରଣ ହୋଇଥିଲା। ଏଥିରେ ୩ ପରିବା ଭେଣ୍ଡର ଓ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସହୀଦ ନିର୍ମଳ ମହାତୋ ମେଡିକାଲ କଲେଜ୍ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।
ତେବେ ବୋମା ବିସ୍ଫୋରଣ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ। ଉକ୍ତ ଏରିଆକୁ ସିଲ୍ କରିବା ସହ ଆହତ ଲୋକଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଥିଲା। ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଧାନବାଦ ପୁଲିସ।