ବିବାହକୁ ୮ ଦିନ ନ ପୂରୁଣୁ ସ୍ୱାମୀର ତଣ୍ଟି କାଟି ହତ୍ୟା କଲା ନବ ବିବାହିତା ପତ୍ନୀ: କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 20, 2020 IST

ଚମ୍ପାରଣ ୨୦/୧୨ : ବିବାହର ୮ ଦିନ ନ ପୂରୁଣୁ ନବ ବିବାହିତ ଯୁବକଙ୍କୁ ହତ୍ୟା। ଘଟଣା ଘଟିଛି ବିହାର ବେତିୟା ଅଞ୍ଚଳରେ। ନବ ବିବାହିତା ମହିଳା ନିଜେ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଭଳି ମାମଲା ସାମ୍ନାକୁ ଆସିଛି। ମହିଳା ନିଜ ସ୍ୱାମୀଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ନବ ବିବାହିତା ମହିଳାଙ୍କୁ ହାଜତକୁ ନେଇ ପଚରାଉଚୁରା କରୁଛି। ଘଟଣା ବେତିୟା ଥାନା ଅନ୍ତର୍ଗତ ମଲାହୀ ଟୋଲା ଅଞ୍ଚଳରେ ଘଟିଛି। ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ମହିଳା ଜଣକ ଏହିଭଳି କାଣ୍ଡ କାହିଁକି ଘଟିଲେ। ପୋଲିସ ମଧ୍ୟ ମହିଳାଙ୍କୁ ସମାନ ପ୍ରଶ୍ନ କରିଛି କିନ୍ତୁ ସେ ଏବେ ଯାଏଁ କିଛି ଜବାବ ଦେଇନାହାନ୍ତି। ପୋଲିସକୁ ଏବେ ସୁଦ୍ଧା ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଅସ୍ତ୍ର ମିଳିନାହିଁ। ପୋଲିସ ଅସ୍ତ୍ର ସମ୍ପର୍କରେ ମଧ୍ୟ ମହିଳାଙ୍କୁ ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ, ଗତ ରବିବାର, ଡିସେମ୍ବର ୧୩ ତାରିଖରେ ଗାଁରେ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ୟାମଙ୍କ ବାହାଘର ହୋଇଥିଲା। ଚମ୍ପାରଣ ଗୋବିନ୍ଦଗଂଜ ଥାନା ଅନ୍ତର୍ଗତ ସାରେୟା ଗାଁରେ ତାଙ୍କର ବାହାଘର ହୋଇଥିଲା। ବାହାଘର ପରେ ସେ ଖୁସିରେ ଥିଲେ। କିନ୍ତୁ ରବିବାର ଦିନ ସକାଳୁ ଶ୍ୟାମଙ୍କ ମା ତାଙ୍କୁ ଉଠାଇବାକୁ ଗଲାବେଳକୁ କୋଠରୀ ଭିତରେ ଶ୍ୟାମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା।

ଶାଶୁ ଦେଖି ଦେବାରୁ ମହିଳା ଘରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗ୍ରାମବାସୀଙ୍କ ସାହାଯ୍ୟରେ ପରିବାର ଲୋକେ ବୋହୁକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମହିଳାଙ୍କୁ ହାଜତକୁ ନେଇ ପଚରାଉଚୁରା କରିଛି। ତେବେ ବାହାଘରର ୭ ଦିନରେ ଏହିଭଳି ଏକ ହତ୍ୟା ଘଟଣା ପଛରେ କଣ କାରଣ ରହିଛି ପୋଲିସ ତାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.