ଯୌନ ସଂପର୍କ ରଖିବାକୁ ମନାକରିବାରୁ ସ୍ତ୍ରୀର ଗଳା କାଟିଲା ସ୍ବାମୀ ; ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 13, 2018 IST

ଚେନ୍ନାଇ ୧୩|୧୦: ତାମିଲନାଡୁ ଥିରୁବେରୁମ୍ବୁର ଜିଲ୍ଲା ତିଚ୍ରି ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୌନ ସଂପର୍କ ରଖିବାକୁ ମନାକରିବାରୁ ସ୍ତ୍ରୀର ଗଳା କାଟି ଦେଇଛି ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି ପୋଲିସ । ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ମାସରେ ୨୬ ବର୍ଷୀୟ ଜେସିନ୍ଥା ଜସବିନ ଏବଂ ୩୪ ବର୍ଷୀୟ ଡି.ଶଙ୍କର ସାଗୟାରାଜ ବିବାହ କରିଥିଲେ । ବିବାହର କିଛି ଦିନ ପରେ ହିଁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ସାଗୟାରାଜ କେତେବେଳେ କେମିତି କାମରେ ଯାଉଥିଲା । ଏହା ହିଁ ଉଭୟଙ୍କ ମଧ୍ୟରେ ଝଗଡାର ପ୍ରମୁଖ କାରଣ ଥିଲା । ସାଗୟାରାଜ ଜେସିନ୍ଥା ଅଜାଣତରେ ଗହଣା ବନ୍ଧା ପକାଇ ଦେଇଥିଲା । ଫଳରେ ଝଗଡା ଆହୁରି ତୀବ୍ର ହୋଇଥିଲା । ସ୍ବାମୀର ଏଭଳି ବ୍ୟବହାର ପାଇଁ ଦୁଇ ମାସ ତଳେ ସ୍ତ୍ରୀ ଜେସିନ୍ଥା ତା ବାପା ମାଆଙ୍କ ପାଖରେ ଯାଇ ରହୁଥିଲା । ସେପ୍ଟେମ୍ବର ମାସରେ ସ୍ବାମୀ ସାଗୟାରାଜ ଏବଂ ତାଙ୍କ ବାପା ମାଆ ଜେସିନ୍ଥାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣିବାକୁ ଯାଇଥିଲେ । ବୁଝାସୁଝା କରିବାକୁ ସେ ସ୍ବାମୀଙ୍କ ସହ ଘରକୁ ଫେରିଆସିଥିଲେ । ତାପରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ବନ୍ଦ ହୋଇନଥିଲା । ଘରକୁ ଆସିବା ପରେ ମଧ୍ୟ ଦୁଇ ଥର ଉଭୟଙ୍କର ଝଗଡା ହୋଇଥିଲା । ଝଗଡା ହେବା ପରେ ଜେସିନ୍ଥା ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନାକରିଦେଇଥିଲେ । ଏଭଳି ଭାବେ ସ୍ତ୍ରୀ ମନାକରିବାରୁ ସାଗୟାରାଜ ଉତକ୍ଷିପ୍ତ ହୋଇଯାଇଥିଲେ । ଜେସିନ୍ଥା ଗଭୀର ନିଦରେ ଶୋଇଯାଇଥିଲେ । ରାତି ପ୍ରାୟ ୨ଟା ବେଳେ ଜେସିନ୍ଥାର ଗଳା ଚିପିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟିଦେଇଥିଲେ । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.