ବାପା ନୁହେଁ ସେ ନରପିଶାଚ : ୩ ବର୍ଷର ପୁଅକୁ ବିକିବାକୁ ଆଣିଥିଲା, କିଣିବାକୁ କେହି ଆସିଲେନି, ତଣ୍ଟିଚିପି ମାରିଦେଲା

Published By : Prameya-News7 Bureau | July 30, 2021 IST

ଆମରୋହା ୩୦/୦୭ : ମଣିଷ ବେଳେବେଳେ ଏତେ ତଳସ୍ତରକୁ ଖସିଯାଏ ଯାହା ତାର କୁତ୍ସିତ ମାନସିକତାକୁ ପଦାରେ ପକାଇଦିଏ । ନିଜର ହିତାହିତ ଜ୍ଞାନ ଭୁଲି ସ୍ବାର୍ଥ ପାଇଁ କିଛି ବି କରିବାକୁ ପଛାଏ ନାହିଁ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲା ଧାନୋରା ଅଞ୍ଚଳରେ । ଜଣେ ନୃଶଂସ ବ୍ୟକ୍ତି ୩ ବର୍ଷର ନିଜ ପୁଅକୁ ବିକ୍ରି କରିବାକୁ ଯାଇ ଗ୍ରାହକ ଯୋଗାଡ ହୋଇନପାରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଜ ଶିଶୁ ପୁତ୍ରକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିଦେବାକୁ ଚାହୁଁଥିଲା । ଦାରିଦ୍ରତାରୁ ମୁକ୍ତି ପାଇବା ପାଇଁ ଏଭଳି କରିବାକୁ ଚାହୁଁଥିଲା ଅଭିଯୁକ୍ତ ପିଶାଚ ବାପା । କିନ୍ତୁ କୌଣସି ଉପାୟରେ ଗ୍ରାହକ ଯୋଗାଡ ନକରିପାରିବାରୁ ସେ ନିଜ ଔରସରୁ ଜାତ ଛୁଆକୁ ହତ୍ୟା କରିଛି । ଅଭିଯୁକ୍ତ ଜଣକ ହେଉଛି ମହମ୍ମଦ ନୌସାଦ । ସେ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରେ । ଗତ ବୁଧବାର ଦିନ ଅଭିଯୁକ୍ତର ବାପା ନିଜ ନାତିର ହତ୍ୟା ଘଟଣାକୁ ନେଇ ଥାନାରେ ଜଣାଇବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଉଠାଇ ନେଇଥିଲା ।

ଅଭିଯୁକ୍ତର ପତ୍ନୀ ପୋଲିସକୁ କହିବା ମୁତାବକ, ମଦ ଏବଂ ଜୁଆ ଖେଳିବା ପାଇଁ ପୁଅକୁ ବିକ୍ରି କରିବାକୁ ଚାହୁଁଥିଲା ମହମ୍ମଦ ନୌସଦ । କିନ୍ତୁ ଏହାକୁ ବିରୋଧ କରୁଥିଲେ ଶିଶୁର ମାଆ । ସେଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ଏଭଳି କାଣ୍ଡ ଭିଆଉଥିଲା ପିଶାଚ ବାପା ।

ତେବେ ଗତ ମଙ୍ଗଳବାର ମହମ୍ମଦ ନୌସଦ ତାର ପତ୍ନୀକୁ ମୋବାଇଲ ଚାର୍ଜ କରିବାକୁ ଚାର୍ଜର ଆଣିବା ପାଇଁ ପଡୋଶୀଙ୍କ ଘରକୁ ପଠାଇଥିଲା । ତେବେ ସେ ପଡୋଶୀଙ୍କ ଘରକୁ ଯାଇ ସନ୍ଦେହ କରିବା ସହିତ ଘରେ ଶିଶୁଟି ଏକା ଥିବାରୁ ତୁରନ୍ତ ଫେରିଆସିଥିଲା । ଘରେ ଆସି ପହଞ୍ଚିବା ପରେ ତାଙ୍କର ପାଦ ତଳୁ ମାଟି ଖସିଯାଇଥିଲା । ମହମ୍ମଦ ନିଜ ପୁଅର ତଣ୍ଟି ଚିପି ହତ୍ୟା କରିଦେଇଥିଲା । ମାତ୍ର କେଇ ମିନିଟ୍‌ ମଧ୍ୟରେ ଅଭିଯୁକ୍ତ ଘଟାଇଥିଲା ଏଭଳି ନାରକୀୟ କାଣ୍ଡ ।

ମହିଳାଜଣକ ତୁରନ୍ତ ନିଜ ପୁଅକୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ରାଗରେ ଜର୍ଜରିତ ଶିଶୁଟିର ଜେଜେ ଏ ନେଇ ଥାନରେ ଏତଲା ଦେଇଥିଲେ । ଘଟଣାକୁ ନେଇ ପୋଲିସ କହିଛି ଯେ, ଅଭିଯୁକ୍ତ ମହମ୍ମଦ ନୌସିଦ ୪ ବର୍ଷ ପୂର୍ବେ ବିବାହ କରିଥିଲା ଏବଂ ଉଭୟଙ୍କର ୨ଟି ପିଲା ଥିଲେ । ଅଧିକାଂଶ ସମୟ ନୌସଦ ନିଶାରେ ଚୁର ରହୁଥିଲା । ଜୁଆ ଖେଳିବା ସହିତ ମଦ ପିଉଥିଲା । ଦାରିଦ୍ରତାରୁ ବାହାରକୁ ବାହାରିବା ପାଇଁ ସେ ନିଜ ପୁଅକୁ ବିକ୍ରି କରିବାକୁ ଚାହୁଁଥିଲା । କିନ୍ତୁ ଗ୍ରାହକ ଖୋଜି ପାଇନଥିଲା । ଶେଷରେ ଉପାୟ ପାଇ ଘରେ କେହି ନଥିବା ବେଳେ ପୁଅର ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ମହମ୍ମଦ ନୌସଦ । ତେବେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହିତ ସହିତ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଏସ୍‌ଏଚ୍‌ଓ ଜୟବୀର ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.