ଥଟ୍ଟା ମଜାରୁ ହଣାକଟା : ପୁତୁରାର କାତି ଚୋଟରେ ଦାଦା ଗୁରୁତର
29/09/2020 at 9:17 PM

ସାନଖେମୁଣ୍ଡି, ୨୯ ।୦୯: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରି ଗାଁରେ ମଙ୍ଗଳବାର ଅପରାହ୍ନରେ ଘଟିଯାଇଛି ବଡ଼ ଧରଣର ଅଘଟଣ। ସାମାନ୍ୟ କଥାକୁ କେନ୍ଦ୍ରକରି ସମ୍ପର୍କୀୟ ପୁତୁରା ଚିନ୍ମୟ କୁମାର ନାୟକ ଓରଫ ଚିନୁଙ୍କ କାତି ଚୋଟରେ ସମ୍ପର୍କୀୟ ଦାଦା ବାବୁଲା ବିଷୋୟୀ ଗୁରୁତର ଆହାତ ହୋଇଛନ୍ତି। ଅଭିଯୁକ୍ତ ପୁତୁରା ଚିନୁ ଗିରଫ ଭୟରେ ଫେରାର ଥିବା ଜଣାପଡିଛି।
ସୂଚନାନୁସାରେ, ମଙ୍ଗଳବାର ଅପରାହ୍ମ ପ୍ରାୟ ସାଢେ ୩ଟାରେ ଗ୍ରାମର ନୂଆସାହି ନିକଟ ପୋଲ ଉପରେ ବାବୁଲାଙ୍କ ସମେତ ଗ୍ରାମର କିଛି ବ୍ୟକ୍ତି ବସି ଗପସପ ହେଉଥିଲେ। ବାବୁଲାଙ୍କ ସମ୍ପର୍କୀୟ ପୁତୁରା ଅଭିଯୁକ୍ତ ଚିନୁ ସେଠାରେ ପହଞ୍ଚିବା ପରେ ବାବୁଲା ତାଙ୍କୁ ଥଟ୍ଟାରେ କିଛି କଥା କହିଥିଲେ। ଅଭିଯୁକ୍ତ ଚିନୁ ଏଥିରେ ଉତ୍ତ୍ୟକ୍ତ ହୋଇ ଘରକୁ ପଳାଇଥିଲେ। କିଛି ସମୟପରେ ଏକ ଧାରୁଆ କାତି ଧରି ସେଠାରେ ପହଞ୍ଚିବା ସହ ଅତର୍କିତ ଭାବେ ବାବୁଲାଙ୍କ ବେକକୁ ଚୋଟ ପକାଇଥିଲେ।
ଆଖପାଖରେ ଥିବା ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ସନ୍ଧ୍ୟା ସୁଦ୍ଧା ଦିଗପହଣ୍ଡି ଥାନାରେ କୌଣସି ଏତଲା ହୋଇନଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।