ପାକିସ୍ତାନରେ ଛପାଯାଉଛି ୨୦୦୦ଟଙ୍କିଆ ନକଲି ନୋଟ୍, ମୁମ୍ବାଇରୁ ୨୪ଲକ୍ଷ ଟଙ୍କା ସହ ଧରାପଡିଲା ଜଣେ

Published By : Prameya-News7 Bureau | February 10, 2020 IST

ମୁମ୍ବାଇ ୧୦।୨: ମୁମ୍ବାଇ ବିମାନବନ୍ଦରରୁ ରବିବାର ଦିନ ଦୁବାଇରୁ ଆସିଥିବା ଜଣେ ବ୍ୟକ୍ତି ୨୪ଲକ୍ଷ ଟଙ୍କାର ଜାଲ୍ ନୋଟ୍ ସହ ଧରାପଡିଛନ୍ତି । ଇଣ୍ଟରନ୍ୟାସନାଲ ଟର୍ମିନାଲ ବାହାରେ ଥିବା ବସଷ୍ଟାଣ୍ଡରୁ ସଂପୃକ୍ତ ବ୍ୟକ୍ତିକୁ ଧରିଛି ପୋଲିସ । ତା ନିକଟରୁ ଟଙ୍କାକୁ ଜବତ କରିବା ସହ ପୋଲିସ ତାକୁ ଗିରଫ କରିଛି । ଜବତ ଟଙ୍କାରେ କେବଳ ୨୦୦୦ ଟଙ୍କିଆ ନୋଟ୍ ଥିଲା । ଏହା ପାକିସ୍ତାନରେ ଛପାଯାଇଥିବା ଜଣାପଡିଛି । ନୋଟ୍ ରେ ଚିହ୍ନିତ ୯ଟି ମାର୍କରୁ ୭ଟିର ନକଲ କରାଯାଇଛି ।

ଗିରଫ ଅଭିଯୁକ୍ତର ନାଁ ହେଉଛି ଜାଭେଦ ଶେଖ୍ । ଜାଭେଦ କଲଓ୍ବାରେ ରହୁଥିଲା । ଏହା ପୂର୍ବରୁ ସେ ଦୁବାଇ ଏବଂ ବ୍ୟାଙ୍କକରେ ରହୁଥିଲା । ପୋଲିସର ସୂଚନା ଅନୁସାରେ ଜାଭେଦ ପୂର୍ବରୁ ମଧ୍ୟ ଏଭଳି କାମ କରିସାରିଛି । ପଚରାଉଚରା ବେଳେ ସେ ପୋଲିସକୁ କହିଛି ଯେ, ଏହି ନୋଟ୍ ପାକିସ୍ତାନରେ ଛପାଯାଇଛି । ଭାରତ ଆସିବା ପୂର୍ବରୁ ତାକୁ ଦୁବାଇ ପଠାଯାଇଥିଲା । ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ସେ ଭାରତରେ କାହା ନିକଟକୁ ଏହି ଜାଲ୍ ନୋଟ୍ ନେଇ ଆସୁଥିଲା । ଜାଭେଦର ଆତଙ୍କୀ ଲିଙ୍କ୍ ଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ପୋଲିସର ସୂଚନା ଅନୁସାରେ ଜଣେ ସାଧାରଣ ବ୍ୟକ୍ତି ଏହି ଜାଲ୍ ନୋଟ୍ ଗୁଡିକୁ ସହଜରେ ଚିହ୍ନି ପାରିବ ନାହିଁ ।

ଜବତ ହୋଇଥିବା ଜାଲ୍ ନୋଟ୍ ଗୁଡିକୁ ଏକ ଟ୍ରଲି ଗ୍ୟାଗ୍ ମଧ୍ୟ ଅତି ସାବଧାନର ସହକାରେ ରଖାଯାଇଥିଲା । ପୋଲିସକୁ ଏହି ନୋଟ୍ ଖୋଜିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା । ଜାଭେଦ ନୋଟ୍ ଗୁଡିକୁ ବଣ୍ଡଲ ବଣ୍ଡଲ କରି ନରଖି ଟ୍ରଲି ବ୍ୟାଗ୍ ମଧ୍ୟରେ ବିଛାଇକି ରଖିଥିବାରୁ ମେସିନ୍ ମଧ୍ୟ ତାକୁ ଧରିପାରିନଥିଲା ।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସୂଚନା ଅନୁସାରେ, ଜବତ ଜାଲ୍‌ ନୋଟ୍ ରେ ଚିହ୍ନିତ ମାର୍କ ଗୁଡିକ ମଧ୍ୟରୁ ୨ଟିକୁ ସଂପୂର୍ଣ୍ଣ କରାଯାଇନଥିଲା । ଅପଟିକଲି ଭେରିଏବଲ ଇଙ୍କ୍ ଏବଂ ସି ଥ୍ରୀ ରେଜିଷ୍ଟ୍ରର ଏଥିରେ ସାମିଲ୍ ରହିଛି । ଏଥିଯୋଗୁଁ ନୋଟ୍ ଗୁଡିକ ଜାଲ୍ ଥିବା ସୂଚନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.