ଡାକ୍ତର ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଚୋରୀ କରି ବ୍ଲାକମେଲିଂ କରୁଥିବା ଯୁବକ ଗିରଫ

Published By : Prameya-News7 Bureau | October 16, 2018 IST

ମୁମ୍ବାଇ ୧୬|୧୦: ସାଉଦିଆରବରେ ରହୁଥିବା ଏକ ଡାକ୍ତର ଦମ୍ପତ୍ତି ସେଠାରେ ଜଣେ ୨୬ବର୍ଷୀୟ ଭାରତୀୟ ଯୁବକକୁ ସାହାଯ୍ୟ କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମହମ୍ମଦ ତାବିଶ ମଲିକ ନାମକ ଏହି ଯୁବକ ଡାକ୍ତର ଦମ୍ପତ୍ତିଙ୍କ ମୋବାଇଲରୁ ଡାଟା ଚୋରୀ କରି ମୁମ୍ବାଇ ଚାଲିଆସିଥିଲା ଏବଂ ମୁମ୍ବାଇରେ ରହି ଡାକ୍ତର ଦମ୍ପତ୍ତିଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା । ତେବେ ବ୍ଲାକମେଲିଂ କରୁଥିବା ତାବିଶକୁ ସୋମବାର ଦିନ ମୁମ୍ବାଇରୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି ଯେ, ଉପରୋକ୍ତ ଡାକ୍ତର ଦମ୍ପତ୍ତି ମୂଳତଃ ଜମ୍ମୁ-କାଶ୍ମୀର ନିବାସୀ । ଡାକ୍ତରୀ ଡିଗ୍ରୀ ହାସଲ କରିବାପରେ ଏହି ଦମ୍ପତ୍ତି ସାଉଦିଆରବରେ ଏକ ହସପିଟାଲରେ ଚିକିତ୍ସକ ଭାବେ ଯୋଗ ଦେଇଥିଲେ । ସାଉଦିରେ ଥିବା ଏକ ନିର୍ଦ୍ଧିଷ୍ଟ ମଲରୁ ଡାକ୍ତର ଦମ୍ପତ୍ତି ତାଙ୍କ ଘର ପାଇଁ ଆବଶ୍ୟକୀୟ ରାସନ ସର୍ବଦା କିଣାକିଣି କରୁଥିଲେ । ଏହି କିଣାକିଣି ବେଳେ ତାବିଶ ଜାଣିବାକୁ ପାଇଲା ଯେ, ଡାକ୍ତର ଦମ୍ପତ୍ତି ଭାରତୀୟ । ଫଳରେ ତାବିଶ ଓ ଡାକ୍ତର ଦମ୍ପତ୍ତିଙ୍କ ମଧ୍ୟରେ ଧୀରେ ଧୀରେ ସଂପର୍କ ବଢିବାକୁ ଲାଗିଲା । ଏପରିକି ତାବିଶ ମଝିରେ ମଝିରେ ଡାକ୍ତର ଦମ୍ପତ୍ତିଙ୍କଠାରୁ ଧାର କରଜ ମଧ୍ୟ ନେଲା । ଇତି ମଧ୍ୟରେ ଥରେ ଡାକ୍ତର ଦମ୍ପତ୍ତି ରହୁଥିବା ଘର ପରିବର୍ତ୍ତନ କଲେ । ଫଳରେ ସେମାନେ ଜିନିଷପତ୍ର ରଖାରଖି କରିବା ପାଇଁ ତାବିଶର ସହାୟତା ନେଇଥିଲେ । ଏହି ମୌକାରେ ଡାକ୍ତର ଦମ୍ପତ୍ତିଙ୍କ ପତ୍ନୀଙ୍କ ବ୍ୟାଗରେ ଥିବା ମୋବାଇଲ ବାହାର କରି ତାବିଶ ସମସ୍ତ ଡାଟା ନିଜ ମୋବାଇଲକୁ ଟ୍ରାନ୍ସଫର କରିଦେଇଥିଲା । ତାବିଶ ଡାକ୍ତର ପତ୍ନୀଙ୍କ ମୋବାଇଲରୁ ଚୋରୀ କରିଥିବା ଡାଟା ମଧ୍ୟରେ ଡାକ୍ତର ଦମ୍ପତ୍ତିଙ୍କ କିଛି ଅନ୍ତରଙ୍ଗ ନଗ୍ନ ଫଟୋ ରହିଥିଲା । ଏହି ଫଟୋ ଦେଖିବା ପରେ ତାବିଶ ମୁଣ୍ଡକୁ ମନ୍ଦବୁଦ୍ଧି ଜୁଟିଥିଲା । ରାତାରାତି କିଛି ଅଧିକ ପଇସା ପାଇବା ପାଇଁ ଡାକ୍ତର ଦମ୍ପତ୍ତିଙ୍କୁ ବ୍ଲାକମେଲିଂ କରିବାକୁ ଚିନ୍ତା କଲା । କିନ୍ତୁ ସାଉଦିରେ ରହି ବ୍ଲାକମେଲିଂ କଲାବେଳେ ଯଦି ଧରାପଡିଯାଏ ତାହେଲେ ସେ ଦେଶର ଆଇନ ଅନୁସାରେ କଠୋର ଦଣ୍ଡ ଭୋଗିବାକୁ ପଡିବ ବୋଲି ତାବିଶ ଜାଣିଥିଲା । ସେଥିପାଇଁ ସେ ଗତ ସେପ୍ଟେମ୍ବର ୨୬ ତାରିଖରେ ମୁମ୍ବାଇ ଆସିଥିଲା । ମୁମ୍ବାଇ ଯୋଗେଶ୍ବରୀ ଅଞ୍ଚଳରେ ରହୁଥିବା ନିଜର ଜଣେ ସଂପର୍କୀୟ ଭାଇ ପାଖରେ ରହି ଡାକ୍ତର ଦମ୍ପତ୍ତିଙ୍କ ପତ୍ନୀଙ୍କୁ ଫୋନ୍ କରି ବ୍ଲାକମେଲିଂ କରିବା ଆରମ୍ଭ କଲା । ଏପରିକି ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସବୁକୁ ଡାକ୍ତର ଦମ୍ପତ୍ତିଙ୍କ କିଛି ସଂପର୍କୀୟଙ୍କ ନିକଟକୁ ମଧ୍ୟ ପଠାଇଦେଲା । ଦୁଇ ଲକ୍ଷ ଟଙ୍କା ନଦେଲେ ଏହି ଫଟୋ ଭାଇରାଲ କରିଦେବ ବୋଲି ତାବିଶ ଧମକାଇବାକୁ ଲାଗିଲା । ତାବିଶ କେଉଁ ନମ୍ବରରୁ କେତେବେଳେ ନିଜ ସ୍ବର ବଦଳାଇ ଫୋନ୍ କରୁଥିବାରୁ ବ୍ଲାକମେଲିଂ କରୁଥିବା ଲୋକ କିଏ ଡାକ୍ତର ଦମ୍ପତ୍ତି ଜାଣିପାରୁନଥିଲେ । ତେବେ ନିର୍ଦ୍ଧିଷ୍ଟ ଏକ କଥାରେ ଡାକ୍ତର ପତ୍ନୀ ଜାଣିପାରିଥିଲେ ଯେ, ବ୍ଲାକମେଲିଂ କରୁଥିବା ଲୋକଟି ତାବିଶ ବ୍ୟତୀତ ଅନ୍ୟ କେହି ନୁହଁ । ଡାକ୍ତର ଦମ୍ପତ୍ତି ମଧ୍ୟ ଜାଣିଥିଲେ ଯେ, ତାବିଶ କିଛିଦିନ ହେଲା ମୁମ୍ବାଇ ଯାଇଛି । ତେଣୁ ଡାକ୍ତର ପତ୍ନୀ ତାଙ୍କ ସ୍ବାମୀଙ୍କୁ ନେଇ ମୁମ୍ବାଇରେ ପହଞ୍ଚିଥିଲେ । ମୁମ୍ବାଇ କ୍ରାଇମବ୍ରାଞ୍ଚ ନିକଟରେ ସମସ୍ତ ଅଭିଯୋଗ କରିଥିଲେ । ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ସୋମବାର ଦିନ ତାବିଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାବିଶ ଉତ୍ତରପ୍ରଦେଶର ପିଲିରିତ ଜିଲ୍ଲା ଅନ୍ତର୍ଗତ ଫରେଦିଆ ଗାଁ ନିବାସୀ । ଅଧିକ ପଇସା ରୋଜଗାର ପାଇଁ କିଛିଦିନ ତଳେ ସେ ୟୁପିରୁ ସାଉଦି ଚାଲିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.