ହୋଟେଲ ଚଟାଣରେ ଛେପ ପକାଇ ଚିତ୍କାର କଲେ କରୋନା କରୋନା, ତାପରେ…

Published By : Prameya-News7 Bureau | April 03, 2020 IST

ସିଙ୍ଗାପୁର ୩।୪: ଭାରତୀୟ ବଂଶୋଦ୍ଭବ ସିଙ୍ଗାପୁରର ନାଗରିକଙ୍କୁ କରୋନା-କରୋନା ଚିତ୍କାର କରିବା ଏବଂ ବିମାନବନ୍ଦରରେ ଏକ ହୋଟେଲ ଚଟାଣରେ ଛେପ ପକାଇବା ଅଭିଯୋଗରେ ଦୁଇ ମାସ ଜେଲ୍ ଦଣ୍ଡାଦେଶ ହୋଇଛି । ସିଙ୍ଗାପୁରରେ ଏହା ହେଉଛି ପ୍ରଥମ ଯାହାକି କରୋନା ଭାଇରସ୍ ସହ ଜଡିତ ମାମଲାରେ କିଏ ଦଣ୍ଡିତ ହୋଇଛି ।

ପିଟିଆଇ ଏହାର ଏକ ରିପୋର୍ଟରେ ଦି ଷ୍ଟ୍ରାଇଟ୍ସ ଟାଇମ୍ସକୁ ଦର୍ଶାଇ କହିଛି ଯେ, ୫୨ ବର୍ଷ ବୟସ୍କ ଜସବିନ୍ଦର ସିଂହ ମହରଙ୍କୁ ମାର୍ଚ୍ଚ ୩ ତାରିଖରେ ଅବହେଳା ପ୍ରଦର୍ଶନ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରାଇବା ଅଭିଯୋଗରେ ଦଣ୍ଡିତ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଜସବିନ୍ଦର ସିଂହ ମାର୍ଚ୍ଚ ୩ ତାରିଖରେ ସିଙ୍ଗାପୁରର କ୍ରାଉନ୍ ପ୍ଲାଜା ଚାଙ୍ଗି ବିମାନବନ୍ଦର ହୋଟେଲର ଅଜୁର ରେଷ୍ଟୁରାଣ୍ଟରେ ଏପରି କାର୍ଯ୍ୟ କରିଥିଲେ । ହୋଟେଲ ବନ୍ଦ ଥିବା ଜସବିନ୍ଦରଙ୍କୁ ୱେଟର କହିଥିଲେ । ଏହାପରେ ସେ ରାଗିଯାଇଥିଲେ । ରାଗିଯାଇଥିବା ଜସବିନ୍ଦର ଏକ ପ୍ଲେଟ ଭାଙ୍ଗି ହୋଟେଲ ଚଟାଣରେ ଛେପ ପକାଇଲେ ଏବଂ ଏହାପରେ ସେ କରୋନା କରୋନା ଚିତ୍କାର କରିବାକୁ ଆରମ୍ଭ କରିଥିଲେ ।

ଜସବିନ୍ଦର ନିର୍ଯାତନା ତଥା ଅନ୍ୟାନ୍ୟ ମାମଲାରେ ପୂର୍ବରୁ ମଧ୍ୟ ଜେଲ୍ ଯାଇସାରିଛନ୍ତି । ନିର୍ଯାତନା ସମେତ ଅପରାଧ ପାଇଁ ଏହି ବ୍ୟକ୍ତିଙ୍କୁ ଜାନୁଆରୀ ମାସରେ ୫ ସପ୍ତାହ ଜେଲଦଣ୍ଡ ଦିଆଯାଇଥିଲା । ଏକ ଆଦେଶ ଅନୁଯାୟୀ, ତାଙ୍କୁ ଚଳିତ ବର୍ଷ ୨୮ ଫେବୃଆରୀରୁ ୨୬ ଏପ୍ରିଲ ମଧ୍ୟରେ କୌଣସି ଅପରାଧ କରିବାର ନଥିଲା । କିନ୍ତୁ ତା’ପରେ ତାଙ୍କର ଏଭଳି କାମ ସାମ୍ନାକୁ ଆସିଛି ।

ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ବରେ ୫୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ସମଗ୍ର ବିଶ୍ବ ଏହି ଜୀବାଣୁ ସହିତ ଲଢୁଛି । ଭାରତରେ ମଧ୍ୟ କରୋନା ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଏହି ସମସ୍ୟାର ମୁକାବିଲା ପାଇଁ ସରକାର ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.