କରୋନା ସଂକ୍ରମିତ ହେବା ଭୟରେ ଚାରି ମହଲାରୁ ଡେଇଁ ପଡିଲେ ୬୦ ବର୍ଷୀୟ ବୃଦ୍ଧ
2/05/2020 at 4:52 PM

ହାଇଦ୍ରାବାଦ ୦୨।୦୫: କରୋନା ସଂକ୍ରମିତ ହେବା ଭୟରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ହାଇଦ୍ରାବାଦ ସ୍ଥିତ ନିଜ କୋଠାର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଭସିରାଜୁ କୃଷ୍ଣା ମୂର୍ତ୍ତି। ସେ ଜଣେ ଅବସର ପ୍ରାପ୍ତ ଘରୋଇ କର୍ମଚାରୀ। ସେ ରାଚାକୋଣ୍ଡା କମିଶନରେଟ୍ ଉପଲ ଥାନା ଅନ୍ତର୍ଗତ ରାମନାଥପୁର ଅଞ୍ଚଳର ବାସିନ୍ଦା।
ସେ ଆସ୍ଥମା ଓ ଗ୍ୟାସଟ୍ରିସ୍ ରୋଗୀରେ ପୀଡିତ ଥିଲେ। ସାଧାରଣତଃ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହୁନଥିଲା। କାଳେ ସେ କୋଭିଡ୍-୧୯ ସଂକ୍ରମିତ ହୋଇପାରନ୍ତି ସେହି ଭୟରେ ଗତ କିଛି ସପ୍ତାହ ହେବ ସେ ମାନସିକ ଚାପରେ ରହୁଥିଲେ ବୋଲି ଉପଲ ପୋଲିସ ଇନ୍ସପେକ୍ଟର ପି ଭେଙ୍କଟେଶ୍ଵରଲୁ କହିଛନ୍ତି।
କିଛି ଦିନ ପୂର୍ବେ ମୃତକ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ କିଙ୍ଗ କୋଠି ସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା। ଡାକ୍ତର ତାଙ୍କୁ ଆସ୍ଥମା ଓ ଗ୍ୟାସ୍ଟ୍ରିକ ପାଇଁ ଔଷଧ ଦେଇଥିଲେ।
ଗତ ଶନିବାର ସକାଳେ ମୁର୍ତ୍ତି ତାଙ୍କର ପେଟ୍ ବ୍ୟଥା ହେଉଥିବା କହିଥିଲେ ଏବଂ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରିଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ କୋଭିଡ୍-୧୯ ପରୀକ୍ଷଣ ପାଇଁ ଗାନ୍ଧୀ ହସ୍ପିଟାଲକୁ ନେବାକୁ ବାହାରିଥିଲେ। ହେଲେ ମୂର୍ତ୍ତି କୋଠାର ଚତୁର୍ଥ ମହଲାକୁ ଯାଇ ବାଲକୋନିରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଉପୁଲ ଇନ୍ସପେକ୍ଟର ଏହାର ସୂଚନା ଦେଇଛନ୍ତି।