ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ମନା କଲେ ମମତା, କହିଲେ...

Published By : Prameya-News7 Bureau | November 02, 2022 IST

ନୂଆଦିଲ୍ଲୀ: ଗୁଜରାଟର ମୋରବି ସେତୁ ଦୁର୍ଘଟଣାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସି)ର ଆଭିମୁଖ୍ୟରେ ଭିନ୍ନ ଥିବା ଦେଖିବାକୁ ମିଳିଛି। ପୋଲ ଭାଙ୍ଗିବା ଘଟଣାକୁ ନେଇ ଯେଉଁଠି ଟିଏମସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛି ସେଠାରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣାରେ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁକୁ ରାଜନୈତିକ ପ୍ରସଙ୍ଗ କରିବା ଠିକ୍ ନୁହେଁ।

ମମତା ବାନାର୍ଜୀ ବୁଧବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଭେଟିବା ପାଇଁ ଚେନ୍ନାଇ ଯିବା ପୂର୍ବରୁ କୋଲକାତା ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ଟିପ୍ପଣୀ କରିବି ନାହିଁ। ଗୁଜରାଟ ତାଙ୍କର ରାଜ୍ୟ। ଏହା ଏକ ଦୁଃଖଦ ଘଟଣା। ମୁଁ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି। ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ।

ବାନାର୍ଜୀ କହିଛନ୍ତି, ମୋତେ ମୋରବି ଯିବାକୁ ବହୁତ ଇଚ୍ଛା ଥିଲା। ମାତ୍ର ଏମିତି କରିବାକୁ ନିଷ୍ପତ୍ତି ନେଲି ନାହିଁ। ଲୋକେ ଭାବିଥାନ୍ତେ ଯେ, ମୁଁ ରାଜ୍ୟ ନିର୍ବାଚନ ପୂର୍ବରୁ ରାଜନୀତି କରିବାକୁ ସେଠାକୁ ଯାଇଛି। ଏହି ଘଟଣା ପାଇଁ ଉତ୍ତରଦାୟୀ କରାଯିବା ଦରକାର। ବ୍ରିଟିଶ ଅମଳର ପୋଲର ରକ୍ଷଣାବେକ୍ଷଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାର ତଦନ୍ତ ହେବା ଉଚିତ୍। ବିନା ଫିଟନେସ୍ ସାର୍ଟିଫିକେଟ୍‌ରେ ପୋଲ କେମିତି ଖୋଲି ଦିଆଗଲା। ଏହା ଲୋକଙ୍କ ଜୀବନ ସହ ଖେଳ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାର ତଦନ୍ତ କାହିଁକି କରୁ ନାହାନ୍ତି ? ଓଲଟା ଏଜେନ୍ସି ସାଧାରଣ ଲୋକଙ୍କ ପଛରେ ପଡି ରହୁଛି ବୋଲି ମମତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.